ଟ୍ରେନ୍‌ରେ ଯାତ୍ରୀ ହେଉନାହାନ୍ତି: ୨ ଟ୍ରେନ୍‌ ବାତିଲ୍‌, ଆହୁରି ବାତିଲ ହେବ

ରାଜ୍ୟ ଭିତରେ ୩୦% ସିଟ୍‌ ପୂରଣ ହେଉନି, ବାହାର ରାଜ୍ୟରୁ ଆସୁଛନ୍ତି ବହୁତ କମ୍‌ ଯାତ୍ରୀ

ଭୁବନେଶ୍ବର: କରୋନା ସଂକ୍ରମଣ ଭୟରେ ସାଧାରଣ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ରାଜ୍ୟ ସରକାରଙ୍କ କଡ଼ା କଟକଣା ଯୋଗୁଁ ବସ୍‌, ଅଟୋରେ ଯାତ୍ରୀଙ୍କ ସଂଖ୍ୟା ବହୁ ମାତ୍ରାରେ କମିଛି। ଟ୍ରେନ୍‌ରେ ବି ଅନୁରୂପ ଭାବେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ସଂକ୍ରମଣ ଭୟରେ ବହୁ ଯାତ୍ରୀ ରେଳ ଯାତ୍ରା କରୁ ନଥିବାରୁ ସଂରକ୍ଷିତ ସିଟ୍‌ର ଅଧା ବି ପୂରଣ ହେଉନି। କେଉଁ ଟ୍ରେନ୍‌‌‌ରେ ମୋଟ୍‌ ସିଟ୍‌ର ୩୦% ଯାତ୍ରୀ ହେଉଛନ୍ତି ତ ଆଉ କେଉଁ ଟ୍ରେନ୍‌ରେ ଏକ ଅଙ୍କ ଛୁଇଁବା କଷ୍ଟକର ହୋଇପଡ଼ୁଛି। ତାହାକୁ ନଜରରେ ରଖି ଓଡ଼ିଶାରେ ପୁଣିଥରେ ରେଳ ସେବା ପ୍ରତ୍ୟାହାର କରିବାକୁ ରେଲବାଇ ବୋର୍ଡ ଯୋଜନା ପ୍ରସ୍ତୁତ କରୁଛି। ଇତିମଧ୍ୟରେ ଦୁଇଟି ପାସେଞ୍ଜର୍ ସ୍ବତନ୍ତ୍ର ଟ୍ରେନ୍‌ ପ୍ରତ୍ୟାହାର ହୋଇସାରିଛି। ଯଦି ଆସନ୍ତା ଦିନରେ ଟ୍ରେନ୍‌ରେ ପର୍ଯ୍ୟାପ୍ତ ଯାତ୍ରୀ ନ ହୁଅନ୍ତି, ତେବେ ଆଉ କିଛି ଟ୍ରେନ୍‌ ପ୍ରତ୍ୟାହାର କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଲୋକଙ୍କୁ ଯାତାୟାତ ଜନିତ ସୁବିଧା ଯୋଗାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସରୁ ପର୍ଯ୍ୟାୟକ୍ରମେ ଟ୍ରେନ୍‌ ସେବା ଆରମ୍ଭ କରାଯାଇଛି। ଓଡ଼ିଶା ଭିତରେ ବିଭିନ୍ନ ସ୍ଥାନକୁ ଟ୍ରେନ୍‌ ସେବା ସହ ବାହାର ରାଜ୍ୟକୁ ସ୍ବତନ୍ତ୍ର ଟ୍ରେନ୍‌ ମଧ୍ୟ ଚାଲୁଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୦ଟି ଟ୍ରେନ୍‌ ଚଳାଚଳ କରୁଥିଲେ ମଧ୍ୟ ସେଭଳି ଯାତ୍ରୀ ହେଉନାହାନ୍ତି। ଓଡ଼ିଶା ମଧ୍ୟ ଦେଇ ବମ୍ବେ, ଦିଲ୍ଲୀ, ଚେନ୍ନାଇ, ‌ବେଙ୍ଗାଲୁରୁ, କୋଲକାତା ପ୍ରଭୃତି ସହରକୁ ଚାଲୁଥିବା ଟ୍ରେନ୍‌ରେ ଆବଶ୍ୟକ ଯାତ୍ରୀ ଯାଉ ନାହାନ୍ତି। ଅତ୍ୟନ୍ତ ଜରୁରୀ ଥିଲେ ଯାତ୍ରୀମାନେ ଟ୍ରେନ୍‌ରେ ଯାଉଛନ୍ତି, ନହେଲେ ବସ୍‌ରେ ଯିବାକୁ ଉଚିତ୍‌ ମନେ କରୁଛନ୍ତି। ଟ୍ରେନ୍‌ରେ ଯିବା ଦ୍ବାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କଠାରୁ କରୋନା ବ୍ୟାପିବାର ଭୟ ଥିବାରୁ ଯାତ୍ରୀମାନେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପ୍ରତିଦିନ ୩୫ରୁ ୪୦ହଜାର ପର୍ଯ୍ୟନ୍ତ ଯାତ୍ରୀ ଚଳପ୍ରଚଳ ହୋଇଥା’ନ୍ତି। ‌ତେବେ କରୋନାର ଦ୍ବିତୀୟ ଲହର ଆରମ୍ଭ ହେବା ପରେ ଏହି ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ସପ୍ତାହେ ହେଲା ଏଠାରେ ଦୈନିକ ମାତ୍ର ୧୨ରୁ ୧୫ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି। ଟ୍ରେନ୍‌ ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। କୋଲକାତାରୁ ବହୁ ସଂଖ୍ୟକ ଲୋକ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଓହ୍ଲାଇଥା’ନ୍ତି। ତେବେ କୋଲକାତାରୁ ଆସୁଥିବା ଯାତ୍ରୀଙ୍କ ଲାଗି କେତେକ କଟକଣା ଲଗାଯାଇଥିବାରୁ ବିଶେଷ ଯାତ୍ରୀ ଆସୁନାହାନ୍ତି। ଦେଶର କେତେକ ପ୍ରମୁଖ ସହରରେ ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ହୋଇଥିବାରୁ ଯାତ୍ରୀଙ୍କ ସଂଖ୍ୟା କମିବାର ଆଉ ଏକ କାରଣ ବୋଲି କୁହାଯାଉଛି। ଗତଥର ପରି ଏଥର ପ୍ରବାସୀଙ୍କ ଆଗମନ ସେତେଟା ହୋଇ ନ ଥିବା ‌ଜଣାପଡ଼ିଛି।

ରେଳପଥର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, କରୋନାର ଦ୍ବିତୀୟ ଲହରକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟ ରହିଛି। ଯେଉଁଥିପାଇଁ ରେଳରେ ଯାତ୍ରୀଙ୍କ ସଂଖ୍ୟା କମିଛି। ଭୁବନେଶ୍ବର-ନୟାଗଡ଼ ଟାଉନ୍-ଭୁବନେଶ୍ବର ଟ୍ରେନ୍‌ର ମୋଟ ସିଟ୍‌ ମଧ୍ୟରୁ ମାତ୍ର ୨% ପୂରଣ ହେଉଥିବା ବେଳେ ପାରାଦୀପ-ପୁରୀ-ପାରାଦୀପ ସ୍ବତନ୍ତ୍ର ଟ୍ରେନ୍‌ରେ ମାତ୍ର ୧୦% ଯାତ୍ରୀ ଯିବା ଆସିବା କରୁଥିଲେ। ଯେଉଁଥିପାଇଁ ଗତକାଲିଠାରୁ ଏହି ‌ଦୁଇ ଟ୍ରେନ୍‌ ବାତିଲ୍‌ ହୋଇଛି। ଓଡ଼ିଶା ଭିତରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକରେ ଅତି ବେଶିରେ ୪୦% ସିଟ୍‌ ପୂରଣ ହେଉଛି। ନ ହେଲେ ବହୁ ସିଟ୍‌ ଖାଲି ପଡ଼ୁଛି। ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଟ୍ରେନ୍‌ଗୁଡ଼ିକରେ ୬୦% ପର୍ଯ୍ୟନ୍ତ ସିଟ୍‌ ବୁକିଂ ହେଉଥିବା ଦେଖିବାକୁ ମିଳୁଛି। ଦେଶର ବିଭିନ୍ନ ସହରରେ ଏବେ ସୁଦ୍ଧା ୪୦ରୁ ଅଧିକ ଟ୍ରେନ୍‌ ପୁଣିଥରେ ବାତିଲ୍‌ ହୋଇଥିଲେ ମଧ୍ୟ ଓଡ଼ିଶାକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରେନ୍‌ ଏପର୍ଯ୍ୟନ୍ତ ବାତିଲ୍‌ କରାଯାଇ ନାହିଁ। ‌ସ୍ଥିତି ଉପରେ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର