ରାଉରକେଲା: ଉଚ୍ଚ ଅଧିକାରୀଙ୍କ ତାଗିଦ୍‌ ସତ୍ବେ ଥମୁନି ପୁଲିସ ବାବୁଙ୍କ ଜୁଲୁମ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ପରେ ହାତୀବାରି ଥାନାରୁ ଆସିଛି ପୁଲିସର ବର୍ବରତାର ଅଭିଯୋଗ। ଅଭିଯୋଗ ଅନୁସାରେ, ଦୁର୍ଘଟଣା ଘଟାଇଥିବା ଜଣେ ଯୁବକଙ୍କୁ ଉଠାଇ ନେଇ ଥାନାରେ ଦିଆଯାଇଛି ଥାର୍ଡ ଡିଗ୍ରୀ। ଦୁଇ ଜଣ ପୁଲିସ କମର୍ଚାରୀ ମାଡ଼ି ବସିଥିବାବେଳେ ଅନ୍ୟ ଜଣେ ପୁଲିସବାବୁ ଲାଠିରେ ତାଙ୍କୁ ନିର୍ଧୁମ ପିଟିଥିଲେ। କେବଳ ଏତିକି ନୁହେଁ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ମଧ୍ୟ ଗୋଇଁଠା ମାରିଥିଲେ। ଲାଠି ମାଡ଼ରେ ତାଙ୍କ ବାମ ହାତ ଭାଙ୍ଗିଯାଇଛି। ଆହତ ଯୁବକ ହେଲେ ହାତୀବାରି ଓଲାଣୀ ପୋଡାଟୋଲା ଆଦିତ୍ୟ ମିଶ୍ରା (୨୬)।

Advertisment

ସୂଚନା ଅନୁସାରେ ଆଦିତ୍ୟ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି ହୋଇଥିଲେ। ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ଆଦିତ୍ୟ ପତ୍ନୀ ପ୍ରିୟା‌ସନୀ ମିଶ୍ରା, ସମ୍ପର୍କୀୟ ସରୋଜିନୀ ବେହେରା, ଆଇନଜୀବୀ ସଦାନନ୍ଦ ସାହୁଙ୍କ ସହ ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ମାଡ଼ ମାରିଥିବା ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି କରିଛନ୍ତି। ଆଦିତ୍ୟ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ସେ ବାଙ୍ଗାଲୋର ଏକ ଚପଲ କମ୍ପାନୀରେ ସୁପରଭାଇଜର କାମ କରନ୍ତି। ପତ୍ନୀ ୫ ମାସର ଗର୍ଭବତୀ ଥିବାରୁ ଦେଖାଶୁଣା ପାଇଁ ଚଳିତ ମାସ ପ୍ରଥମ ସପ୍ତାହରେ ଘରକୁ ଛୁଟିରେ ଆସିଥିଲେ।

ଗତ ୧୮ ତାରିଖ ସଂଧ୍ୟାରେ ହାତୀବାରି ଟାଉନକୁ ଦୁଗ୍ଧ ଆଣିବାକୁ ଯାଇଥିଲେ। ଦୁଗ୍ଧ ନେଇ ମୋଟରବାଇକ୍‌ରେ ଘରକୁ ଫେରୁଥିଲେ। ରାଜାବସ୍ତି ନିକଟରେ ସମ୍ମୁଖରେ ଆସୁଥିବା ଗାଡିର ଲାଇଟ୍‌ ଆଖିରେ ପଡିବାରୁ ନିୟନ୍ତ୍ରଣ ହରାଇ ମୋଟବାଇକକୁ କାର୍‌ ସହ ଧକ୍କା ଦେଇଥିଲେ। ଭୁଲ୍‌ ଥିବାରୁ ତାଙ୍କୁ ସ୍ଥାନୀୟ ଲୋକ ଘେରି ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିଲେ। ହଠାତ୍‌ ସାଧା ପୋଷାକରେ ଥିବା ଜଣେ ପୁଲିସ ବାବୁ ପହଞ୍ଚି ତାଙ୍କୁ ଚାପୁଡା ମାରିଥିଲେ। ସାଧା ପୋଷାକରେ ଥିବାରୁ ପୁଲିସକୁ ବୋଲି ଚିହ୍ନି ନ ପରିବାର ସେ ଠେଲି ଦେଇଥିଲେ। ତାଙ୍କର ମାତ୍ର ଏତିକି ଦୋଷ ଥିଲା। ପ୍ରତିବାଦରେ ପୁଲିସ ବାବୁ ତାଙ୍କୁ ଜୋରଜବରଦସ୍ତ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ। ଥାନା ଭିତରେ ଦୁଇ ପୁଲିସ କର୍ମଚାରୀ ତାଙ୍କୁ ଜାବୁଡି ଧରିଥିଲେ। ଅନ୍ୟ ଜଣେ ପୁଲିସବାବୁ ତାଙ୍କୁ ଲାଠିରେ ମାଡ଼ ମାରିଥିଲେ। ସେ ଓ ତାଙ୍କ ପତ୍ନୀ ଛାଡିଦେବାକୁ ଯେତେ କାକୁତିମିନତୀ ହୋଇଥିଲେ ହେଁ ତିନି ପୁଲିସ ମଧ୍ୟରୁ କେହି ଜଣେ ହେଲେ ଶୁଣି ନଥିଲେ। ପେଟ, ପିଠି, ଗୋଡକୁ ପିଟି ଚାଲିଥିଲେ। ଏତିକିରେ ପୁଲିସବାବୁଙ୍କ ରାଗ ଶାନ୍ତ ପଡି ନଥିଲା। ରାଗି କରି ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଲାତ ଓ ଗୋଇଠା ମାରିଥିଲେ। ଫଳରେ ତାଙ୍କ ସମ୍ବେଦନଶୀଳ ଅଙ୍ଗରୁ ରକ୍ତ ବାହାରିଥିଲା। ୫ ମାସର ଗର୍ଭବତୀ ପତ୍ନୀଙ୍କୁ ମଧ୍ୟ ପୁଲିସ ବାବୁ ଛାଡି ନଥିଲେ। ଗାଳି ଗୁଲଜ କରିବା ସହ ପିଟିବାକୁ ଧମକଚମକ ଦେଇଥିଲେ। ପରେ ଏହି କଥାକୁ କାହାକୁ ନ କହିବାକୁ ଧମକ ଦେଇ ଥାନାରୁ ବିଦା କରିଥିଲେ। ହାତ ଭାଙ୍ଗି ଯିବା ଓ ପରିଶ୍ରାରେ ରକ୍ତ ବାହାରୁ ଥିବାରୁ ପରିବାର ଲୋକ ତାଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ଘଟଣାର ତଦନ୍ତ ମାଡ ମାରିଥିବା ଓ ତାଙ୍କୁ ଧରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ଡିପିଓଙ୍କୁ ଅନୁରୋଧ କରିଛନ୍ତି।

ଆଇନଜୀବୀ ସଦାନନ୍ଦ ସାହୁ କହିଛନ୍ତି, ପୁଲିସର ଏଭଳି ବର୍ବରତା ଆଦୌ ଗ୍ରହଣୀୟ ନୁର୍ହେ। ଯଦି ସେ ଦୋଷ କରିଛନ୍ତି, ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବା କଥା। ମାତ୍ର ଥାନାକୁ ଉଠାଇ ନେଇ ମାଡ଼ ମାରିବା ଓ ଧମକଚମକ ଦେବା ନନ୍ଦନୀୟ। ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ କରି ମାଡ଼ ମାରିଥିବା ପୁଲିସବାବୁଙ୍କୁ ଚାକିରିରୁ ନିଲମ୍ବିତ କରିବା ଦରକାର। ସେପଟେ ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ କହିଛନ୍ତି, ଯୁବକ ଜଣକ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯିବା ପରେ ସତ୍ୟତା ଜଣାପଡିବ। ତେବେ ହାତୀବାରି ଥାନା ଅଧିକାରୀ ବୀରକିଶୋର ମଲ୍ଳିକଙ୍କୁ ପଚାରିବାରୁ ସେ କହିଛନ୍ତି, ଆଦତ୍ୟ ନିଶା ସେବନ କରି ମୋଟରବାଇକ୍‌ ଚଳାଇ କାର୍‌କୁ ଧକ୍କା ଦେଇଥିଲେ। ସାଧାରଣ ଲୋକ ତାଙ୍କୁ ଘେରି ମାଡ଼ ମାରୁଥିଲେ। ସେଠାରୁ ଉଦ୍ଧାର କରି ତାଙ୍କୁ ଥାନାକୁ ଆଣିଥିଲେ। ତାଙ୍କୁ ଥାନାରେ ମାଡ଼ ମରାଯାଇ ନାହିଁ। କେବଳ ଗାଳିଗୁଲଜ କରି ଛାଡି ଦେଇଥିଲୁ।