ଏ ସେବା ପରମ୍ପରାର ଆରମ୍ଭ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କଠାରୁ : ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ
ଏ ସେବାର ନାଆଁ ହେଉଛି ଗଜପତି ମହାରାଜା ସେବା। ବାସ୍ତବରେ ଏହାର ଆରମ୍ଭ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ। ସେହି ସମୟ ହେଉଛି- ପ୍ରଥମ ମନ୍ବନ୍ତରର ଦ୍ବିତୀୟ ଚତୁର୍ଯୁଗର ସତ୍ୟଯୁଗରେ। ସେତେବେଳେ ଚତୁର୍ଦ୍ଧା ବିଗ୍ରହ ରୂପରେ ପରମାତ୍ମା ପରମେଶ୍ବର ଶ୍ରୀକ୍ଷେତ୍ରଧାମରେ ପ୍ରକଟ ହେଲେ। ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଦ୍ବାରା ନିର୍ମିତ ମନ୍ଦିରରେ ବ୍ରହ୍ମାଙ୍କ ଦ୍ବାରା, ସେହି ବିଗ୍ରହ ସ୍ଥାପନା ହେଲେ ଏବଂ ସେହି ସମୟରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ- ମୁଁ ଆପଣଙ୍କର କିପରି ସେବା କରିପାରିବି ମୋତେ କହନ୍ତୁ। ସେତେବେଳେ ଦାରୁବ୍ରହ୍ମ ରୂପରେ ଥାଇ ମଧ୍ୟ ମହାପ୍ରଭୁ ତାଙ୍କର ସମସ୍ତ ନୀତି ଓ ଯାନିଯାତ୍ରା ଇତ୍ୟାଦି କିପରି ସଂପନ୍ନ କରାଯିବ, ସେ ସଂପର୍କରେ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ’ରେ ତାହା ‘ପ୍ରତିମା ଉବାଚ’ ଭାବରେ ଖ୍ୟାତ। ସେହି ଅନୁସାରେ, ମହାରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କର ଇହକାଳରେ ମହାପ୍ରଭୁଙ୍କର ସେବା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଠାରୁ ହିଁ ଏହି ‘‘ଆଦ୍ୟ ସେବକ’’ ପ୍ରଥା ଓ ପରମ୍ପରାର ଅୟମାରମ୍ଭ ହୋଇଛି। ଏହା ପଛରେ ଯେଉଁ ଭାବନା ଥିଲା, ତାହା ହେଉଛି ସନାତନଧର୍ମର ଭାବନା। ସେହି ଭାବନା ହେଲା- ବାସ୍ତବରେ ସାମ୍ରାଜ୍ୟର ମହାରାଜା, ସାମ୍ରାଜ୍ୟର ପ୍ରଭୁ ବା ମାଲିକ ହେଉଛନ୍ତି ସ୍ବୟଂ ମହାପ୍ରଭୁ। ଏବଂ ଉତ୍କଳ ସାମ୍ରାଜ୍ୟର ଯେ ପ୍ରାଶାସନିକ ଦାୟିତ୍ବରେ ରହିବେ, ଅର୍ଥାତ୍ ଗଜପତି ମହାରାଜା- ସେ ତାଙ୍କର ସେବକ। ଏଣୁ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କଠାରୁ ଆରମ୍ଭ କରି ଉତ୍କଳ ସାମ୍ରାଜ୍ୟର ଇତିହାସରେ, ପରବର୍ତ୍ତୀ କାଳରେ ଶାସନ ବା ପ୍ରଶାସନ ଦାୟିତ୍ବରେ ଯେଉଁମାନେ ରହି ଆସିଛନ୍ତି, ବିଭିନ୍ନ ରାଜବଂଶର ସେହି ରାଜା ବା ମହାରାଜାମାନେ ଏହି ପରମ୍ପରାକୁ ପାଳନ କରି ଆସିଛନ୍ତି।
‘ମାଦଳା ପାଞ୍ଜି’ ଅନୁସାରେ, ୧୪୪ ବର୍ଷ ମହାପ୍ରଭୁ ଶ୍ରୀକ୍ଷେତ୍ରରେ ଅନୁପସ୍ଥିତ ଥିଲେ। ତା’ପରେ ବ୍ରହ୍ମଙ୍କୁ ଆଣି ଶ୍ରୀକ୍ଷେତ୍ରରେ, ମହାପ୍ରଭୁଙ୍କର ନବକଳେବର ସଂପନ୍ନ କରାଗଲା। ସେହିଠାରୁ ଯେଉଁ ନୀତିକାନ୍ତି ଖଞ୍ଜା ହେଲା- ତାହା ଭଗବତ୍ପାଦ ଆଦିଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ହୋଇଛି ବୋଲି ଅନୁମାନ କରାଯାଏ। ଗଜପତି ମହାରାଜା ସେବା ବା ଆଦ୍ୟସେବକ ସେବା ପରମ୍ପରା ତାହାର ଏକ ଅଙ୍ଗ। ଫଳରେ ସେହି ସମୟରୁ ଉତ୍କଳ ସାମ୍ରାଜ୍ୟର ଯେ ପ୍ରାଶାସନିକ ବା ରାଜନୈତିକ ଦାୟିତ୍ବରେ ରହିଲେ, ସେ ଏହି ଆଦ୍ୟସେବକ ସେବା କରି ଆସିଲେ।
ଅତି ପ୍ରାଚୀନ ଇତିହାସ ଏବେ ଆମକୁ ମିଳିପାରୁ ନାହିଁ। କିନ୍ତୁ ବର୍ତ୍ତମାନର ମନ୍ଦିର ପ୍ରାୟ ୮୦୦ ବର୍ଷ ପୂର୍ବେ ଗଙ୍ଗବଂଶୀ ମହାରାଜାଙ୍କ ସମୟରେ ନିର୍ମିତ ହୋଇଛି। ତା’ପୂର୍ବରୁ ଶ୍ରୀକ୍ଷେତ୍ରରେ ସୋମବଂଶୀ ରାଜା ଯଯାତିକେଶରୀଙ୍କ ଦ୍ବାରା ଯେଉଁ ମନ୍ଦିର ନିର୍ମାଣ ହୋଇଥିଲା, ସେ ସମୟରୁ ଏହି ପରମ୍ପରା ଚାଲିଆସୁଛି। ଉତ୍କଳର ଯେ ପ୍ରମୁଖ ମହାରାଜା, ସେ ଯେହେତୁ ମହାପ୍ରଭୁଙ୍କର ଆଦ୍ୟ ସେବକ, ସେହେତୁ ମହାପ୍ରଭୁଙ୍କର ବିଶେଷ ନୀତିମାନଙ୍କରେ ତାଙ୍କର ସେବା ଖଞ୍ଜା ଅଛି। କିନ୍ତୁ ଉତ୍କଳ ସାମ୍ରାଜ୍ୟର ପରିଚାଳନା ମଧ୍ୟ ଯେହେତୁ ତାଙ୍କର ଦାୟିତ୍ବର ଅନ୍ତର୍ଭୁକ୍ତ, ସେଥିପାଇଁ ସବୁ ସେବା କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ଗଙ୍ଗବଂଶ ସମୟରେ ରାଜନୈତିକ ରାଜଧାନୀ ଥିଲା କଟକ। ତା’ ପୂର୍ବରୁ ରାଜଧାନୀ ଥିଲା ଯାଜପୁର ଏବଂ ପରବର୍ତ୍ତୀ ସମୟରେ ଖୋର୍ଦ୍ଧାଗଡ଼ ହେଲା ରାଜଧାନୀ। ପୁରୀ କେବେ ବି ଗଜପତି ମହାରାଜାଙ୍କର ରାଜନୈତିକ ରାଜଧାନୀ ନଥିଲା। କିନ୍ତୁ ପୁରୀ ଥିଲା ମହାପ୍ରଭୁଙ୍କ ରାଜଧାନୀ। ଆଧ୍ୟାତ୍ମିକ ରାଜଧାନୀ। ଫଳରେ ଯାଜପୁର, କଟକ ବା ଖୋର୍ଦ୍ଧାରୁ ଆସି ନିୟମିତ ଭାବରେ ମହାପ୍ରଭୁଙ୍କ ସେବା କରିବା ଗଜପତିଙ୍କ ପକ୍ଷରେ ସମ୍ଭବ ହେଉ ନଥିଲା। ପୁଣି ଯାନବାହନ ଓ ଗମନାଗମନରେ ସେତେବେଳେ ଅନେକ ଅସୁବିଧା ଥିଲା। ତେଣୁ ଆରମ୍ଭ ହେଲା ମୁଦିରଥ ସେବା ବ୍ୟବସ୍ଥା। ଗଜପତି ମହାରାଜାଙ୍କର ଅନୁପସ୍ଥିତି ସମୟରେ, ତାଙ୍କର ସେବା ମୁଦିରଥ କରିପାରିବେ ବୋଲି ସେଥିରେ ବ୍ୟବସ୍ଥା ହେଲା। ଏଣୁ ମୁଦିରଥଙ୍କର ସମସ୍ତ ସେବା ହେଉଛି- ଗଜପତି ମହାରାଜାଙ୍କ ସେବା। କିନ୍ତୁ ସାରା ବର୍ଷରେ ଯେଉଁସବୁ ବିଶେଷ ସେବା ରହିଛି- ଯଥା ଦେବସ୍ନାନ ଯାତ୍ରା ଓ ଶ୍ରୀଗୁଣ୍ଡିଚାଯାତ୍ରାରେ ସେବା, ବାହୁଡ଼ାଯାତ୍ରାରେ ସେବା, ଚନ୍ଦନଯାତ୍ରା ଓ ଦୋଳଯାତ୍ରାରେ ସେବା- ସେସବୁ ଗଜପତିମାନେ କରୁଥିଲେ।
ଅଦୂର ଅତୀତକୁ ଆମେ ଯଦି ଦେଖିବା, ତେବେ ଆମର ପିତା ଚନ୍ଦନଯାତ୍ରା ଓ ଦୋଳଯାତ୍ରାକୁ ପ୍ରାୟ ଯାଉ ନଥିଲେ; କିନ୍ତୁ ପୂର୍ବର ଗଜପତି ମହାରାଜା ସ୍ନାନପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ାଯାତ୍ରାକୁ ଯାଉଥିଲେ। ନିକଟ ଅତୀତକୁ ଦେଖିଲେ- ଆମର ପିତାଙ୍କ ପିତା ସ୍ନାନଯାତ୍ରାକୁ ବି ପ୍ରାୟ ଯାଉ ନଥିଲେ ଏବଂ ବାହୁଡ଼ାଯାତ୍ରାକୁ ବି ଯିବା ପରବର୍ତ୍ତୀ ସମୟରେ ବନ୍ଦ କରିଦେଇଥିଲେ। କେବଳ ଶ୍ରୀଗୁଣ୍ଡିଚାଯାତ୍ରାକୁ ଯାଉଥିଲେ। କିନ୍ତୁ ଏ ସେବକ ଆସିବା ପରେ ବିଶେଷ କୌଣସି ଅସୁବିଧା ନାହିଁ। ଦେବସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ଛେରା ପହଁରା ଓ ରାଜ-ନୀତି ଏବଂ ବାହୁଡ଼ାଯାତ୍ରାରେ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣ ଭେଟ ସେବା ମଧ୍ୟ ନିୟମିତ ହୋଇଛି। ଏପରିକି ଦୋଳଯାତ୍ରା ଓ ଚନ୍ଦନଯାତ୍ରାରେ ବି ଆମେ ଥରେ ସେବା କରିଛୁ, ବିଧିରକ୍ଷାପାଇଁ। ଅନ୍ୟ ସମୟରେ ମୁଦିରଥ ସେବା କରିଛନ୍ତି।
ଏହା ବ୍ୟତୀତ ଗଜପତିଙ୍କର ଆଉ ଗୋଟିଏ ବିଶେଷ ସେବା ରହିଥାଏ। ତାହା ହେଉଛି- ଚମ୍ପକ ଦ୍ବାଦଶୀ ନୀତି। ଏହା ଶ୍ରୀନଅରରେ ଅନୁଷ୍ଠିତ ହୁଏ। ଋକ୍ମିଣୀ ବିବାହ ପରେ ଦିବ୍ୟ ଦମ୍ପତି, ଅର୍ଥାତ୍ ମଦନମୋହନ ଓ ମହାଲକ୍ଷ୍ମୀ ଶ୍ରୀନଅରକୁ ଗୁଆଲି ବିଜେ କରନ୍ତି। ସେଠାରେ ଭୋଗ ନୈବେଦ୍ୟ ପ୍ରସ୍ତୁତ ହୁଏ। ଗଜପତି ମହାରାଜା ଓ ମହାରାଣୀ ବି ସେଥିରେ ସେବା କରିଥାନ୍ତି।
ଅନ୍ୟ ଦୁଇଟି ନୀତି ହେଉଛି- ସ୍ନାନପୂର୍ଣ୍ଣିମା ପରେ, ଅଣସର ସମୟରେ ଦଇତା ସେବକଙ୍କଦ୍ବାରା ରାଜପ୍ରସାଦ ବିଜେ ଓ ଖଡ଼ିପ୍ରସାଦ ବିଜେ। ଏହିପରି ଭାବରେ ସାରାବର୍ଷରେ ଗଜପତି ମହାରାଜାଙ୍କର ସେବା ରହିଛି।
ଏହା ବ୍ୟତୀତ, ଗୋଟିଏ ବିଶେଷ ସେବା ରହିଛି ନବକଳେବର ସମୟରେ। ନବକଳେବର ପ୍ରକ୍ରିୟା ଆରମ୍ଭ କରିବାକୁ ଗଜପତି ମହାରାଜା, ଦଇତାପତି ମାନଙ୍କୁ ସ୍ବୀକୃତି ପ୍ରଦାନ କରନ୍ତି ରାଜଗୁରୁଙ୍କ ମାଧ୍ୟମରେ ଗୁଆ-ନଡ଼ିଆ ଟେକିଦେଇ। ସ୍ବୀକୃତି ସ୍ବରୂପ ସେମାନଙ୍କୁ ଶାଢ଼ିବନ୍ଧା ମଧ୍ୟ କରାଯାଏ। ତାହାପରେ ଆଚାର୍ଯ୍ୟ ଭାବରେ ରାଜଗୁରୁ ଧାର୍ମିକ ଦୃଷ୍ଟିକୋଣରୁ ସେହି ପ୍ରକ୍ରିୟାର ପରିଚାଳନା କରନ୍ତି। ନବକଳେବରର ଦାରୁ ଅନ୍ବେଷଣ ଓ ବନଯାଗରେ ଯେଉଁ ଦଇତା, ପତି ଓ ଅନ୍ୟ ସେବକମାନେ ଯାଆନ୍ତି, ସେମାନଙ୍କ ସହିତ ରାଜଗୁରୁ ମଧ୍ୟ ଯାଆନ୍ତି। ଯେତେବେଳେ ଦାରୁଚୟନ ହୋଇ, ଦିବ୍ୟଦାରୁ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠକୁ ଆସନ୍ତି ଏବଂ ନୂତନ ବିଗ୍ରହଙ୍କର ନିର୍ମାଣ ହୁଏ, ସେତେବେଳେ ହେଉଥିବା ପ୍ରତିଷ୍ଠା ଯଜ୍ଞ ପାଇଁ ଗଜପତି େଶ୍ରାତ୍ରିୟ ବ୍ରାହ୍ମଣଙ୍କୁ ଶ୍ରୀନଅରରେ ବରଣ କରିଥାନ୍ତି। ସେହି ପ୍ରତିଷ୍ଠା ଯଜ୍ଞରେ ମଧ୍ୟ ଗଜପତି ମହାରାଜା ପୂର୍ଣ୍ଣାହୁତି ଦିଅନ୍ତି।
ସେହିପରି ଶାରଦୀୟ ଷୋଳପୂଜା ସମୟରେ, ଶ୍ରୀମନ୍ଦିର ଭିତରେ ଥିବା ଦେବୀପୀଠ, ଯଥା ବିମଳା ଓ ଭୁବନେଶ୍ବରୀ ଇତ୍ୟାଦି ଏବଂ ପୁରୀର ଅନ୍ୟ ପ୍ରାଚୀନ ଦେବୀପୀଠମାନଙ୍କ ପାଇଁ ପ୍ରତିବର୍ଷ ଗଜପତିଙ୍କ ପକ୍ଷରୁ ଆଚାର୍ଯ୍ୟ ଭାବରେ ରାଜଗୁରୁ ବ୍ରାହ୍ମଣ ବରଣ କରନ୍ତି।
ଏସବୁ ମୁଖ୍ୟତଃ ଆଦ୍ୟ ସେବକ ଭାବରେ ଗଜପତି ମହାରାଜା ସେବା। ସେହିପରି ଗଜପତି ମହାରାଣୀଙ୍କର ମଧ୍ୟ ସେବା ଅଛି। ଗଜପତି ମହାରାଜା ଯେପରି ସେବକ, ସେ ମଧ୍ୟ ସେହିପରି ସେବିକା। ମହାପ୍ରଭୁଙ୍କ ଗର୍ଭଗୃହରେ ସେବିକା ଭାବରେ ମହାରାଣୀଙ୍କର ସେବା କରିବାର ଅଧିକାର ଅଛି। ଗଜପତି ମହାରାଜା ଗହଣ ବିଜେ ସମୟରେ ତାଙ୍କ ମଥାରେ ଶାଢ଼ି ବାନ୍ଧି ତାଙ୍କୁ ଏହି ସ୍ବୀକୃତି ଦେଇଥାନ୍ତି।
ତେବେ, ରଥ ଉପରେ ଗଜପତି ମହାରାଜାଙ୍କର ଦୁଇଟି ସେବା ଥାଏ। େଗାଟିଏ ରାଜ-ନୀତି ସେବା ଏବଂ ଅନ୍ୟଟି ଛେରାପହଁରା ସେବା। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ଗଜପତି ରଥକୁ ସେବାପାଇଁ ଯିବାବେଳେ, ସେଠାରେ ପ୍ରଥମେ ହୁଏ ରାଜ-ନୀତି ସେବା। ସେଥିରେ ପୁଷ୍ପ, ବସ୍ତ୍ର, ଆଳତି, ଚାମର, ଆଲଟ ଆଦି ଦ୍ବାରା ପ୍ରଭୁଙ୍କର ଅନେକ ଉପଚାର ହୁଏ। ଏସବୁ ପରେ ହୁଏ ଛେରା-ପହଁରା। ସେଥିରେ ତିନିଟି ପରିକ୍ରମା ପ୍ରତି ରଥରେ ହୁଏ। ପ୍ରଥମେ ସୁବର୍ଣ୍ଣ ମାର୍ଜନୀ ମାଧ୍ୟମରେ ପହଁରା ସହିତ ପରିକ୍ରମା; ତା’ପରେ ଚନ୍ଦନ ଛେରା ଓ ଶୁକ୍ଳ ପୁଷ୍ପ ପକାଇ ପହଁରା ଓ ପରିକ୍ରମା।
ଏହିପରି ଭାବରେ, ପାରମ୍ପରିକ ପ୍ରଥା ଅନୁସାରେ, ଆଦ୍ୟ ସେବକ ଭାବରେ, ଗଜପତି ମହାରାଜାଙ୍କର ଅନେକ ସେବା ଖଞ୍ଜାଯାଇଛି ଏବଂ ସେହି ସେବା ବିଧିମତେ ପାଳିତ ହୋଇଆସୁଛି। ଏହା ଗଜପତି ମହାରାଜାଙ୍କ ପାଇଁ ମହାପ୍ରଭୁଙ୍କର ଅଶେଷ କୃପା।