ଖଣ୍ଡଗିରି : ଜମି ବିକିବା ପାଇଁ ଜଣେ ବିଲ୍ଡରଙ୍କ ୩୩ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ୩ ଭାଇଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀର ରତ୍ନକାର ସାହୁ(୫୦), ଜିତୁ ସାହୁ(୩୦ ଓ ଏମାନଙ୍କ ଦାଦାପୁଅ ଭାଇ ସୁଧୀର ସାହୁ((୩୫)। ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଜଟଣୀରେ ଏହି ୩ଭାଇଙ୍କ ବାପାମାନଙ୍କ ନାମରେ ତଥା ଯୁଗ୍ମ ମାଲିକାନାରେ ଏକ ପ୍ଲଟ ରହିଛି। ଏହି ପ୍ଲଟ୍କୁ ବିକିବା ପାଇଁ ସେମାନେ ଖଣ୍ଡଗିରିସ୍ଥିତ ବିଜୟ ଅଗ୍ରଓ୍ଵାଲ୍ଙ୍କର ବୈଷ୍ଣୋଦେବୀ ବିଲ୍ଡର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ୨୦୧୨ ମସିହାରେ ଦୁଇ ପକ୍ଷଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ପ୍ଲଟ କିଣିବା ପାଇଁ ଅଗ୍ରୀମ ଆକାରରେ ଶ୍ରୀ ଅଗ୍ରଓ୍ଵାଲ୍ ସେମାନଙ୍କୁ ୩୩ ଲକ୍ଷ ଟଙ୍କା ଦେଇଥିଲେ ଓ ରେଜିଷ୍ଟ୍ରେସନ୍ ହେଲାବେଳେ ଅବଶିଷ୍ଟ ଟଙ୍କା ଦିଆଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରେ ୩ ଭାଇଯାକ ଶ୍ରୀ ଅଗ୍ରଓ୍ଵାଲଙ୍କୁ ଧରାଛୁଅାଁ ଦେଇନଥିଲେ।
ଏମିତିକି ୨୦୧୪ ମସିହାରେ ସେମାନେ ଏହି ପ୍ଲଟକୁ ଅନ୍ୟଜଣଙ୍କୁ ବିକି ଦେଇଥିଲେ। ପ୍ଲଟ ବିକି ଦେଇଥିବା ଜାଣିବା ପରେ ୩୩ ଲକ୍ଷ ଟଙ୍କା ଫେରାଇ ଦେବାକୁ ଶ୍ରୀ ଅଗ୍ରଓ୍ଵାଲ୍ ୩ ଭାଇଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ୩ ଭାଇ ତାଙ୍କ ଅନୁରୋଧକୁ ଫୁ’କରି ଉଡ଼ାଇ ଦେବା ସହ ପାଲଟା ଧମକ ଚମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ଶ୍ରୀ ଅଗ୍ରଓ୍ଵାଲ୍ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତଙ୍କ ନିର୍ଦେଶକ୍ରମେ ଖଣ୍ଡଗିରି ଥାନା ପୁଲିସ ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।