ସହିଦ ସପ୍ତାହରେ ନକ୍ସଲଙ୍କୁ ଝଟକା: ଆତ୍ମସମର୍ପଣ କଲେ ୧୮ ଲକ୍ଷ ପୁରସ୍କାର ଘୋଷିତ ୩ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲଙ୍କୁ ଏକ ବଡ ଝଟକା ଲାଗିଛି। ସହିଦ ସପ୍ତାହର ଦ୍ବିତୀୟ ଦିନରେ ୧୮ ଲକ୍ଷ ଟଂକାର ପୁରସ୍କାର ଘୋଷିତ ୩ ନକ୍ସଲ ଦନ୍ତେୱାଡା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବସ୍ତର ଡିଭିଜନରେ ଲାଲ ଆତଙ୍କର ଅଣ୍ଟା ଭାଙ୍ଗିବାକୁ ଲାଗିଲାଣି। ଯବାନଙ୍କର ଲଗାତାର କୁମ୍ବିଂରେ ନକ୍ସଲ ଏବେ ଧରାଶାୟୀ ହେଲେଣି। ସଂଗଠନର ଆଗଧାଡିର ନକ୍ସଲମାନେ ଏବେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଏହି କ୍ରମରେ ଏହି ୩ ଜଣ ଆଗଧାଡିର ନକ୍ସଲ ଆତ୍ମସମର୍ପଣ ପରେ ସଂଗଠନ ଦୁର୍ବଳ ହେବ ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରହିଥିବା ବେଳେ ଜଣକ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।

ଆଜି ଦନ୍ତେୱାଡା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସିଦ୍ଧାର୍ଥ ତିବାରୀଙ୍କ ସମ୍ମୁଖରେ ଏହି ତିନି ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏସପି ଶ୍ରୀ ତିୱାରୀଙ୍କ କହିବା ଅନୁଯାୟୀ ଏହି ତିନିଜଣ ଦୁର୍ଦାନ୍ତ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବାକୁ ଇଛା କରିଥିଲେ। ଆଜି ପର୍ଯ୍ୟନ୍ତ ବସ୍ତର ଡିଭିଜନରେ ୧୩୬ ଜଣ ପୁରସ୍କାର ରାଶି ଘୋଷିତ ନକ୍ସଲଙ୍କ ସମେତ ମୋଟ ୫୪୯ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ଏହି ତିନି ଜଣ ବହୁ ହିଂସାରେ ସାମିଲ ଥିବା ଏସପି କହିଛନ୍ତି। ବିଶେଷକରି ଲୁଟପାଟ, ହତ୍ୟା, ବୋମା ଖଞ୍ଜିବା, ମାରପିଟ କରିବା ସହ ହତ୍ୟା କରିବା ଘଟଣାରେ ମଧ୍ୟ ସାମିଲ ଥିଲେ। ସହିଦ ସପ୍ତାହରେ ପୁଲିସକୁ ମିଳିଛି ବଡ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ କହିଛି। ଆଗକୁ ଆହୁରି ଅନେକ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପ୍ରସ୍ତୁତ ରହିଥିବା ଏସପି କହିଥିଲେ।

ସମ୍ବନ୍ଧିତ ଖବର