ଜାକର୍ତା/ପାଲେମବାଙ୍ଗ: ଇଣ୍ଡୋନେସିଆରେ ଆୟୋଜିତ ଅଷ୍ଟାଦଶ ଏସିଆଡ୍ ଅନେକ ଦୃଷ୍ଟିରୁ ଭାରତ ପାଇଁ ସ୍ମରଣୀୟ ହୋଇଛି। ବିଗତ ସବୁ ସଂସ୍କରଣକୁ ଟପିି ଭାରତ ଏଥର ନିଜ ଏସିଆଡ୍ ଇତିହାସର ସର୍ବାଧିକ ପଦକ ଜିତି ନେଇଛି। ଟିମ୍ ଇଣ୍ଡିଆ ଏଠାରେ ୨୦୧୦ ଦୋହା ଏସିଆନ୍ ଗେମ୍ସ (୧୩ ସ୍ୱର୍ଣ୍ଣ, ୨୩ ରୌପ୍ୟ ଓ ୨୯ କାଂସ୍ୟ)ରେ କରିଥିବା ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛି। ଇଣ୍ଡୋନେସିଆରେ ଭାରତ ସର୍ବାଧିକ ୬୯ ପଦକ ଜିତିଛି। ସେଥିମଧ୍ୟରେ ରହିଛି ୧୫ ସ୍ୱର୍ଣ୍ଣ, ୨୪ ରୌପ୍ୟ, ୩୦ କାଂସ୍ୟ। ମୋଟ ପଦକ ସହ ଭାରତ ମଧ୍ୟ ଏଥର ସର୍ବାଧିକ ସ୍ୱର୍ଣ୍ଣ ପଦକ ବିଜୟ ସହ ସମକକ୍ଷ ହୋଇଛି। ୧୯୫୧ ନୂଆଦିଲ୍ଲୀ ଏସିଆଡ୍ରେ ଭାରତ ସେହି ୧୫ ସ୍ୱର୍ଣ୍ଣ ଜିତିଥିଲା। ତେବେ ମୋଟ ପଦକ ସଂଖ୍ୟାରେ ପଛରେ ରହିଥିଲା। ଏଥର ଅବଶ୍ୟ ରୌପ୍ୟ ଏବଂ କାଂସ୍ୟ ପଦକ ସଂଖ୍ୟା ଅଧିକ ହୋଇଛି। ଭାରତ ଏଥର କେତେକ ଅଣପାରମ୍ପରିକ ଖେଳରୁ ପଦକ ଜିତିଛି। କବାଡ଼ି ଓ ହକିରେ ସ୍ୱର୍ଣ୍ଣ ପଦକ ହାତଛଡ଼ା ହେବା କିନ୍ତୁ ଭାରତୀୟଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ତଥାପି ଜାକର୍ତା ଏବଂ ପାଲେମବାଙ୍ଗରେ ଭାରତ ସଫଳତାର ନୂଆ ସ୍ତର ଛୁଇଁଛି।
ଶନିବାର ପ୍ରତିଦ୍ୱନ୍ଦ୍ୱିତା ପର୍ବ ଶେଷ ହେବାର ପୂର୍ବ ଦିବସରେ ଭାରତ ଦୁଇଟି ସ୍ୱର୍ଣ୍ଣ ଜିତିଛି। ସେହିଭଳି ଗୋଟିଏ ଲେଖାଏଁ ରୌପ୍ୟ ଏବଂ କାଂସ୍ୟ ବି କରାୟତ କରିଛି। ଭାରତକୁ ଦିନର ପ୍ରଥମ ସ୍ୱର୍ଣ୍ଣ ମୁଷ୍ଟିଯୁଦ୍ଧରୁ ମିଳିଥିଲା। ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ହରାଇ ଅମିତ ପଙ୍ଘାଲ ସୁନା ଉପହାର ଦେଇଥିଲେ। ଏହା ପରେ ବ୍ରିଜ୍ରେ ବୟୋଜ୍ୟେଷ୍ଠ ଯୋଡ଼ି ପ୍ରଣବ ବର୍ଧନ ଓ ଶିବନାଥ ସରକାର ସୁନେଲି ସଫଳତା ଲାଭ କରିଥିଲେ। ମହିଳା ସ୍କ୍ଵାସ୍ରେ ଜୋତ୍ସ୍ନା ଚିନାପ୍ପା ଓ ସୁନନ୍ୟା କୁରୁଭିଲ୍ଲା ରୌପ୍ୟ ଜିତିବା ପରେ ସଂଧ୍ୟାରେ ହକି ଦଳ ପାରମ୍ପରିକ ପାକିସ୍ତାନକୁ ୨-୧ ଗୋଲ୍ରେ ପରାସ୍ତ କରି କାଂସ୍ୟ ହାସଲ କରିଥିଲା। ଏହା ମଧ୍ୟ ଶନିବାରର ଶେଷ ପଦକ ଥିଲା।
ଅଲିମ୍ପିକ୍ସ ବିଜେତାଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ଅମିତ
ପୁରୁଷ ମୁଷ୍ଟିଯୁଦ୍ଧର ୪୯ କିଲୋଗ୍ରାମରେ ଅମିତ ପଙ୍ଘାଲ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ଉପହାର ଦେଇଥିଲେ। ପ୍ରଥମ ଥର ପାଇଁ ଏସିଆଡ୍ ଖେଳୁଥିବା ଅମିତ ଏହି ଅନନ୍ୟ ସଫଳତା ଉଜବେକିସ୍ତାନର ଅଲିମ୍ପିକ୍ସ ବିଜେତା ହସନବଏ ଦୁସ୍ମାତୋଭଙ୍କୁ ୩-୨ରେ ହରାଇ ହାସଲ କରିଥିଲେ। ସେନା ବାହିନୀରେ କାର୍ଯ୍ୟ କରୁଥିବା ୨୨ ବର୍ଷୀୟ ଅମିତ ଆଜି ଅସାଧାରଣ କଳା କୌଶଳର ପରିଚୟ ଦେଇ ଦୁସ୍ମାତୋଭଙ୍କ ହୋସ୍ ଉଡ଼ାଇ ଦେଇଥିଲେ। ଗତ ବର୍ଷ ବିଶ୍ୱ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ଦୁସ୍ମାତୋଭ ତାଙ୍କୁ ହରାଇଥିଲେ। ଶନିବାର ଅମିତ ଏହାର ମଧୁର ପ୍ରତିଶୋଧ ନେଇଥିଲେ। ଏପରିକି ୨୦୧୬ ରିଓ ଅଲିମ୍ପିକ୍ସରେ ଦୁସ୍ମାତୋଭ ଶ୍ରେଷ୍ଠ ମୁଷ୍ଟିଯୋଦ୍ଧା ଘୋଷିତ ହେବା ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅମିତଙ୍କ ଆକ୍ରମଣ ଆଗରେ କିନ୍ତୁ ସେ ହାରମାନିବାକୁ ବାଧ୍ୟ ହୋଇଥିଲେ। ଚଳିତ ଏସୀୟ କ୍ରୀଡ଼ାରେ ଅମିତ ଏକମାତ୍ର ଭାରତୀୟ ମୁଷ୍ଟିଯୋଦ୍ଧା ଭାବେ ଫାଇନାଲ୍ ଯାଇଥିଲେ। ଫାଇନାଲରେ ବିଜେତା ହୋଇ ସେ ମଧ୍ୟ ଭାରତୀୟ ମୁଷ୍ଟିଯୁଦ୍ଧର ସମ୍ମାନ ରଖିଥିଲେ। ଏସିଆଡ୍ରେ ସ୍ୱର୍ଣ୍ଣ ଜିତିବାରେ ଅମିତ ଅଷ୍ଟମ ଭାରତୀୟ ମୁଷ୍ଟିଯୋଦ୍ଧା ହୋଇଥିଲେ।
ବ୍ରିଜ୍ରେ ପ୍ରଣବ-ଶିବନାଥଙ୍କ ସୁନେଲି ଚମକ
ଏସିଆଡ଼୍ରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ‘ବ୍ରିଜ୍’ ଖେଳରୁ ଭାରତ ଶନିବାର ଗୋଟିଏ ସ୍ୱର୍ଣ୍ଣ ପଦକ ଅମଳ କରିଥିଲା। ପୁରୁଷ ପେୟାରରେ ପ୍ରଣବ ବର୍ଧନ ଓ ଶିବନାଥ ସରକାର ସୁନେଲି ଚମକ ଦେଖାଇଥିଲେ। ୬୦ ବର୍ଷୀୟ ପ୍ରଣବ ଏବଂ ୫୬ ବର୍ଷୀୟ ଶିବନାଥ ୩୮୪ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେମାନେ ଚୀନର ଲିଜିଙ୍ଗ ୟାଙ୍ଗ ଏବଂ ଗାଙ୍ଗ ଚେନ୍ଙ୍କୁ ପଛରେ ପକାଇ ଦେଇଥିଲେ। ୟାଙ୍ଗ-ଚେନ୍ ୩୭୮ ପଏଣ୍ଟ ପାଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଇଣ୍ଡୋନେସିଆର ହେଙ୍କି ଲାସୁତ ଓ ଫ୍ରେଡି ମୋନାପ୍ପୋ (୩୭୪) କାଂସ୍ୟ ପଦକ ପାଇଥିଲେ। ଅନ୍ୟତମ ଭାରତୀୟ ଯୋଡ଼ି ସୁମିତ ମୁଖାର୍ଜୀ ଓ ଦେବବ୍ରତ ମଜୁମଦାର (୩୩୩) ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।
ମହିଳା ସ୍କ୍ଵାସ୍ ଦଳ ରୌପ୍ୟରେ ସନ୍ତୁଷ୍ଟ
ମହିଳା ସ୍କ୍ଵାସ୍ ଦଳ ଶନିବାର ଭାରତକୁ ତୃତୀୟ ସ୍ୱର୍ଣ୍ଣ ଉପହାର ଦେବାରୁୁ ଅଳ୍ପକେ ଅଟକି ଯାଇଥିଲା। ଜୋତ୍ସ୍ନା ଚିନାପ୍ପା ଓ ସୁନନ୍ୟା କୁରୁଭିଲ୍ଲାଙ୍କୁ ନେଇ ଗଠିତ ଭାରତୀୟ ଦଳ ହଂକଂଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଗତଥରର ବିଜେତା ମାଲେସିଆକୁ ସେମିଫାଇନାଲରେ ହରାଇ ଫାଇନାଲ୍ ଯାଇଥିବା ସୁନନ୍ୟା-ଜୋତ୍ସ୍ନା ଫାଇନାଲରେ ଏହି ସଫଳତା ଦୋହରାଇ ପାରି ନଥିଲେ। ଚଳିତ ଏସିଆଡ୍ରେ ଭାରତ ସ୍କ୍ଵାସରୁ ପାଞ୍ଚଟି ପଦକ ଜିତିଛି। ସେଥିମଧ୍ୟରେ ରହିଛି ୨ ମହିଳା ଦଳଗତ ରୌପ୍ୟ, ପୁରୁଷ ଦଳଗତ କାଂସ୍ୟ ଓ ବ୍ୟକ୍ତିଗତ ବର୍ଗରେ ତିନିଟି କାଂସ୍ୟ। ଏହା ମଧ୍ୟ ଏସିଆଡ୍ ସ୍କ୍ଵାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।
ଉଦ୍ଯାପନୀରେ ରାଣୀ ଧରିବେ ତିରଙ୍ଗା
ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଉଦଯାପନୀ ଉତ୍ସବ ରବିବାର ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ତ୍ରିରଙ୍ଗା ଧରିବେ। ଶନିବାର ସର୍ବସମ୍ମତି କ୍ରମେ ଏହି ସମ୍ମାନନକ କାର୍ଯ୍ୟ ଲାଗି ରାଣୀଙ୍କୁ ବଛା ଯାଇଛି। ଉଦଘାଟନୀ ଉତ୍ସବରେ ଜାଭେଲିନ୍ ତାରକା ନୀରଜ ଚୋପ୍ରା ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଭାରତୀୟ ହକି ଦଳ ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଏସିଆଡ଼୍ର ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଜାପାନଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ଭାରତର ୫୫୦ ଜଣିଆ ଖେଳାଳି ଦଳ ଚଳିତ ଏସିଆଡ୍ରେ ଅଂଶ ଗ୍ରହଣ କରୁଥିଲେ। ହେଲେ ସେଥିମଧ୍ୟରୁ ଅଧିକାଂଶ ସ୍ୱଦେଶ ଫେରି ସାରିଲେଣି। ଏଣୁ ରାଣୀଙ୍କୁ ତିରଙ୍ଗା ଧରିବାର ସୁଯୋଗ ମିଳିଥିବା ଜଣାପଡ଼ିଛି।