ଅମାନିଆଙ୍କୁ ସାବାଡ୍‌ କଲେ ପୁଲିସ୍‌ କମିସନର୍‌

ଭୁବନେଶ୍ୱର : ସାବଧାନ! ସହରରେ ବୁଲୁଛନ୍ତି ପୁଲିସ୍‌ କମିସନର୍‌। ଅମାନିଆଙ୍କୁ ରାସ୍ତା ମଝିରେ ସାବାଡ଼୍‌ କରୁଛନ୍ତି। ଗାଡ଼ି ଚଳାଇବା ବେଳେ ଆଇନ ଉଲ୍ଲଂଘନ କଲେ ‘ଅନ୍‌ ଦ ସ୍ପଟ୍‌’ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଶାସ୍ତ୍ରୀନଗରଠାରେ ଆଜି ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏପରି ଆକ୍ସନ୍‌ ମୋଡ୍‌ରେ ଦେଖିବାକୁ ମିଳିଥିଲା। କମିସନର୍‌ ଶ୍ରୀ ଷଡ଼ଙ୍ଗୀ ଅଫିସ୍‌କୁ ଫେରୁଥିବା ବେଳେ ହେଲ୍‌ମେଟ୍‌କୁ ଗାଡ଼ି ମିରର୍‌ରେ ଝୁଲାଇ ଫୋନ୍‌ରେ ଗପି ଗପି ଯାଉଥିବା ଜଣେ ଅମାନିଆ ଚାଳକକୁ ୭ ମିନିଟ୍‌ ଧରି ଟ୍ୟୁସନ୍‌ କରିଥିଲେ। ‘ଆଉ କେତେ ହେଲେ ବୁଝିବ?’ ବୋଲି ପ୍ରଶ୍ନ କରିବା ସହ ଆଗକୁ ଯେଭଳି ଏହାର ପୁନରାବୃତ୍ତି ନ ହୁଏ, ତାଗିଦ୍‌ କରିଥିଲେ। ତେବେ ଉକ୍ତ ଯୁବକଙ୍କଠାରୁ ଜରିମାନା ଆଦାୟ କରାଯିବା ପରେ ଛଡ଼ା ଯାଇଛି।

ଏ ନେଇ କମିସନର୍‌ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଅନେକ ସମୟରେ ମୁଁ ରାସ୍ତାରେ ବୁଲି ଅମାନିଆଙ୍କ ଉପରେ ନଜର ରଖୁଛି। କେବଳ ଆଜି ୪ଟି ଅମାନିଆଙ୍କୁ ଧରିଛି। ସପ୍ତାହେ ମଧ୍ୟରେ ୩୦ରୁ ଊର୍ଦ୍ଧ୍ବ ଅମାନିଆଙ୍କୁ ରାସ୍ତା ମଝିରେ ଧରି ଜରିମାନା କରିଛି। ଏତେ ପରେ ବି ଲୋକମାନେ ନ ସୁଧୁରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ପୁଲିସ୍‌ ଅଧିକାରୀ ସବୁବେଳେ ଆଇନର ରକ୍ଷାକର୍ତ୍ତା। ଏଣୁ ଯେ କେହି ଅଧିକାରୀ ରାସ୍ତାରେ ଯିବା ବେଳେ ଏଭଳି ଉଲ୍ଲଂଘନକାରୀ ନଜରରେ ପଡ଼ିଲେ ସଚେତନ କରାନ୍ତୁ।

ସମ୍ବନ୍ଧିତ ଖବର