କନ୍ଧମାଳ ଲୋକସଭା ଆସନ : ‘ଶଙ୍ଖ’ ଓ ‘ପଦ୍ମ’ର ଲଢ଼େଇ ଭିତରେ କଡା ଚାଲେଞ୍ଜର ସମ୍ମୁଖୀନ ହେବ ହାତ !

ଫୁଲବାଣୀ : ଆଜି ୨ ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କନ୍ଧମାଳ ପାଇଁ ପୂର୍ବରୁ ବିଜେଡି ଏବଂ କଂଗ୍ରେସ ଟିକେଟ ଘୋଷଣା କରିଥିବା ବେଳେ ଆଜି ବିଜେପି ଘୋଷଣା କରିଛି ପ୍ରାର୍ଥୀ । ଖାରବେଳ ସ୍ୱାଇଁ ବିଜେପିରେ ସାମିଲ ହେବା ପରେ ତାଙ୍କୁ କନ୍ଧମାଳ ଲୋକସଭା ଆସନ ପାଇଁ ଟିକେଟ ଦିଆଯାଇଛି । ସେହିପରି କନ୍ଧମାଳରେ ଏଥର ବିଜେଡି ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମନୋଜ କୁମାର ଆଚାର୍ଯ୍ୟ ।

ଦୀର୍ଘ ୧୦ ବର୍ଷ ପରେ ଭାରତୀୟ ଜନତା ପାର୍ଟିକୁ ଖାରବେଳ ସ୍ୱାଇଁଙ୍କ ଘର ବାହୁଡା ହୋଇଛି । ୨୦୦୯ ଡିସେମ୍ବର ମାସରେ ଗେରୁଆ ଦଳ ଛାଡି ଦେଇଥିବା ଖାରବେଳ ପୁଣି ଗେରୁଆ ଟୋପି ପିନ୍ଧି ଏକ ନୂଆ ରାଜନୈତିକ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି । ୧୯୯୮, ୧୯୯୯ ଓ ୨୦୦୪ରେ ତିନି ତିନି ଥର ସାଂସଦ ହୋଇଥିବା ଖାରବେଳ ବିଜେପିରେ ସାମିଲ ହେବାର କାରଣ ଦର୍ଶାଇବାକୁ ଯାଇ କହିଛନ୍ତି, ବିଜେଡିକୁ ହରାଇବାକୁ ହେଲେ ଏକ ବଡ ରାଷ୍ଟ୍ରୀୟ ଦଳରେ ସାମିଲ ହେବାର ଆବଶ୍ୟକତା ରହିଛି । ଖାରବେଳଙ୍କୁ କନ୍ଧମାଳରୁ ବିଜେପି ଟିକଟ ମିଳିବା ପରେ ଏହି ଲୋକସଭା ଆସନରେ ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି ।

ସେପଟେ, ବିଜେଡି ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କନ୍ଧମାଳ ମୈଦାନକୁ ଓହ୍ଲାଇଛି । ୨୦୧୮ରେ ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲା ବିଜେଡି । ଆଉ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅନ୍ୟପଟେ, କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମନୋଜ କୁମାର ଆଚାର୍ଯ୍ୟ । ବିଜେଡି ପରି କଂଗ୍ରେସ ବି ନୂଆ ମୁହଁ ଉପରେ ଭରସା କରିଛି । ମନୋଜ ଜଣେ ସ୍ଥାନୀୟ ନେତା ଓ ସେ ବାଲିଗୁଡା ଏନଏସିରେ କାଉନ୍ସିଲର୍ ଅଛନ୍ତି। ତେବେ କନ୍ଧମାଳ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଆସିବା ପରେ ଲଢେଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର