ଜୟନ୍ତୀରେ ଭୁବନେଶ୍ୱରସ୍ଥିତ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଆମ୍ବେଦକରଙ୍କ ସାମାଜିକ ଓ ରାଜନୈତିକ ଦୃଷ୍ଟିକୋଣ ଆଜି ବି ଉପଯୋଗୀ: ଧର୍ମେନ୍ଦ୍ର

ଭୁବନେଶ୍ବର: ଭାରତୀୟ ସମ୍ବିଧାନର ନିର୍ମାତା ଓ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ କହିଛନ୍ତି ଯେ ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ ଥିଲେ। ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ବିଧାନରେ ଅନେକଗୁଡ଼ିଏ ଦିଗ ରହିଛି। ତାଙ୍କର ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ଦୃଷ୍ଟିକୋଣ ଆଜି ବି ଉପଯୋଗୀ। ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତ୍‌ଥାନ ଓ ସଶକ୍ତୀକରଣ କରିବାରେ ସମର୍ପିତ ରହିଥିଲା। ଆମେ ସମସ୍ତେ ବାବାସାହେବଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର୍‌
ସମ୍ବିଧାନ ପ୍ରଣେତା, ବିଶିଷ୍ଟ ଜନନାୟକ ତଥା ଭାରତରତ୍ନ ଡ. ଭୀମରାଓ ଆମ୍ବେଦକର ଥିଲେ ସାମାଜିକ କ୍ରାନ୍ତିର କର୍ଣ୍ଣଧାର। ସମାଜର ଦଳିତ, ଶୋଷିତ ଓ ଅବହେଳିତ ବର୍ଗର ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ ବୋଲି ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର୍‌ ପକ୍ଷରୁ ଆୟୋଜିତ ୧୩୦ତମ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସେଣ୍ଟର୍‌ ଆନୁକୂଲ୍ୟରେ ହୋଟେଲ କେଶରୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆମ୍ବେଦକର ଆମ ଦେଶକୁ ଯେଉଁ ମୂଲ୍ୟବାନ ସମ୍ବିଧାନ ଓ ଗାଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଦେଇ ଯାଇଛନ୍ତି, ତାହା ବର୍ତ୍ତମାନ ବିପନ୍ନ ହେବାକୁ ବସିଛି। ଏହାର ସୁରକ୍ଷା ଓ ଆମ୍ବେଦକରଙ୍କ ବାର୍ତ୍ତା ଆଦର୍ଶର ପ୍ରଚାର ପ୍ରସାର ନିମନ୍ତେ ଉଦ୍ୟମ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ। ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପୁଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଂଜନ ମହାପାତ୍ର ମୁଖ୍ୟବକ୍ତା, ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ଓ ପଦାର୍ଥ ବିଜ୍ଞାନୀ ଡ. ସୁଶାନ୍ତ ଦାସ ବିଶିଷ୍ଟ ଅତିଥି ଭାବେ ଯୋଗ‌ ଦେଇଥିଲେ। ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର୍‌ର ଅଧ୍ୟକ୍ଷ କାଳୀଚରଣ ସିଂହ ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯାଇଥିଲା। କିଶୋର ସିହ୍ନା ଧନ୍ୟବାଦ ଦେଇଥିଲେ।

ନାଗରିକ ଏକତା ପରିଷଦ
ନାଗରିକ ଏକତା ପରିଷଦ ଏବଂ ଭାରତୀୟ ବୌଦ୍ଧ ମହାସଭା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମାଲ୍ୟାର୍ପଣ କରାଯିବା ସହିତ ସ୍ମୃତିଚାରଣ କରାଯାଇଥିଲା। ଭାରତ ପରି ଏକ ବିବିଧତାପୂର୍ଣ୍ଣ ଦେଶକୁ ଡ. ଆମ୍ବେଦକର ଏକ ସଶକ୍ତ ସମ୍ବିଧାନ ଦେଇଛନ୍ତି, ଯାହାଦ୍ୱାରା ପ୍ରତ୍ୟେକ ଭାରତୀୟ ସୁରକ୍ଷିତ ଓ ମର୍ଯ୍ୟାଦାବନ୍ତ ହୋଇଛନ୍ତି ବୋଲି ମତପ୍ରକାଶ ପାଇଥିଲା। ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ମଲ୍ଲିକ, ସୁନାକର ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ଶ୍ୟାମସୁନ୍ଦର ମଲ୍ଲିକ, ଦାମୋଦର ମଲ୍ଲିକ, ବାବୁଲି ମଲ୍ଲିକ, ଅଶୋକ ମଲ୍ଲିକ, ରବୀନ୍ଦ୍ର କୁମାର ସେଠୀ, ଆକୁଳି ଚରଣ ସେଠୀ, ଅଭିମନ୍ୟୁ ସେଠୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର