ଜାତୀୟ ରାଜପଥରେ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ଫୁଟ୍‌ ତଳକୁ ଖସିପଡ଼ି ଓଲଟିଲା, ଭାଙ୍ଗିଗଲା ଚାଳକଙ୍କ ଗୋଡ଼

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଆଡେନିଗଡ଼ ପଞ୍ଚାୟତର ରଙ୍ଗମଟିଆ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ ଧକ୍କାହୋଇ ରାସ୍ତାର ୧୦ ଫୁଟ୍‌ ତଳକୁ ତଳକୁ ଖସିପଡ଼ି ଓଲଟି ଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଡ୍ରାଇଭର ଜଣକ ହେଲେ ଚିତ୍ତରଞ୍ଜନ ସାହୁ (୨୫)। ତାଙ୍କ ଘର ତଳଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାପାଜୁ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନା ମତେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଟ୍ରକଟି ନୟାଗଡ଼ ଜିଲ୍ଲା ଦଶପଲ୍ଲା ପଟୁ ବୌଦ୍ଧ ଆଡକୁ ଯାଉଥିବା ବେଳେ ରଙ୍ଗମାଟିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ପୋଲ ପାର୍ଶ୍ଵରେ ଧକ୍କାହୋଇ ପ୍ରାୟ ୧୦ଫୁଟ ତଳେଥିବା ଏକ ବିଲରେ ପଡିଯାଇଥଲା। ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁର୍ଘଟଣାରେ ଚାଳକଙ୍କ ବାମ ଗୋଡ ଭାଙ୍ଗି ଯାଇଥିବାରୁ ଡାକ୍ତର ତାଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର