ଦିଲ୍ଲୀ ହିଂସା: ୫୫୦ ଆକାଉଣ୍ଟକୁ ଅଚଳ କଲା ଟୁଇଟର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀମାନେ କରିଥିବା ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସା ପାଇଁ ଟ୍ୱିଟର ୫୫୦ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଟୁଇଟର ଏ ବାବଦରେ ସୂଚନା ଦେଇ କହିଛି ଯେ, “ଗଣତନ୍ତ୍ର ଦିବସରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀର କିଛି ଅଞ୍ଚଳରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଆମେ ୫୫୦ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛୁ। ମାଇକ୍ରୋ ବ୍ଲଗିଂ ୱେବସାଇଟର ମୁଖପାତ୍ର କହିଛନ୍ତି ଯେ, ସ୍ପାମ୍ ଏବଂ ପ୍ଲାଟଫର୍ମ ମନିପୁଲେସନ୍ ସହ ଜଡିତ ଉପଭୋକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଭଳି ପଦକ୍ଷେପ ନିଆଯାଇଛି।

ମୁଖପାତ୍ରଙ୍କ ଅନୁଯାୟୀ, ହିଂସା, ଅପବ୍ୟବହାର ଏବଂ ଧମକ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଆକାଉଣ୍ଟକୁ ଆମେ ସ୍ଥଗିତ ରଖିଛୁ। ଏହିପରି ଲୋକମାନେ ନିୟମ ଭଙ୍ଗ କରିବା ସହ ଅନ୍ୟ ପ୍ରତି ବିପଦ ସୃଷ୍ଟି କରିପାରିବେ, ଯାହା ଆମର ନିୟମର ଉଲ୍ଲଂଘନ ଅଟେ। ଯେଉଁ ସବୁ ଟୁଇଟ ଆମ ନିୟମକୁ ଉଲ୍ଲଂଘନ କରିଛି, ଆମେ ତା’ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।

aajtak

ଉଲ୍ଲେଖଯୋଗ୍ୟ, କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଗତକାଲି ରାଜଧାନୀ ଦିଲ୍ଲୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ଆନ୍ଦୋଳନରତ ଚାଷୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀ ସେମାନଙ୍କ ପ୍ରଦର୍ଶନ ଲାଗି ପୁଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ କରାଯାଇଥିବା ଅଞ୍ଚଳ ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିଥିଲେ। ଏହାପରେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ମୃଦୁଲାଠିଚାଳନା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ତେବେ ଶାନ୍ତିପୂର୍ଣ୍ଣ ଭାବେ କରାଯିବାକୁ ଥିବା ଏହି ରାଲି ପରବର୍ତ୍ତି ମୂହୁର୍ତ୍ତରେ ଯେଉଁ ମୋଡ଼ ନେଲା, ତାହା ଏବେ ବଡ଼ ପରିବର୍ତ୍ତନ ଆଣିଛି। ଏହାକୁ ବିରୋଧ କରି ପ୍ରାୟ ଦୁଇ ମାସ ହେଲାଣି ଚାଷୀଙ୍କୁ ସମର୍ଥନ କରି ଆନ୍ଦୋଳନ କରି ଆସୁଥିବା ଅଲ ଇଣ୍ଡିଆ କିଷାନ ସଙ୍ଘର୍ଷ କୋଅର୍ଡିନେସନ କମିଟି(ଏଆଇକେଏସସିସି) ଏବଂ ଭାରତୀୟ କିଷାନ ୟୁନିୟନ ଚାଷୀ ଆନ୍ଦୋଳନରୁ ନିଜକୁ ଅଲଗା କରିଛି।

ସମ୍ବନ୍ଧିତ ଖବର