ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ବେଶ୍ କିଛି ମାସ ହେଲାଣି ଦିନ ଦ୍ବିପହରରେ ଲୁଟେରାମାନେ କଳାକନା ବୁଲାଇବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଭୁଜାଲିରେ ହାଣି ଟଙ୍କା ଲୁଟ୍ କରି ଚାଲିଛନ୍ତି। ଆଜି ଅପରାହ୍ନ ସାଢେ ତିନିଟା ସମୟରେ ଆକୁଳ ସାପ୍ତାହିକ ହାଟରେ ୨ ଜଣ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ୨ ଜଣ ବେପାରୀଙ୍କୁ ବନ୍ଧୁକ ଦେଖାଇ ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ବେପାରୀ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଗୋଳାଗାଡିଆ ଗ୍ରାମର ଦୁଇ ଭାଇ ଶରତ ସାହୁ(୫୩) ଓ ଭରତ ସାହୁ(୪୮)।

Advertisment

ସୂଚନା ଅନୁସାରେ ପ୍ରତି ହାଟ ପରି ଆଜି ମଧ୍ୟ ବେପାର ପରେ ଦୋକାନ ବନ୍ଦ କରିବାକୁ ବସିଥିବା ବେଳେ ହଠାତ୍ ୨ ଲୁଟେରା ପହଞ୍ଚି ଯାଇ ଟଙ୍କା ବ୍ୟାଗ୍ ଝାମ୍ପିବାକୁ ଉଦ୍ୟମ କରୁଥିବା ବେଳେ ୨ ଭାଇ ବାଧା ଦେଇଥିଲେ। କିଛି ସମୟ ଉଭୟଙ୍କ ମଧ୍ୟରେ କସରତ ଚାଲିଲା। ଦୁର୍ବୁତ୍ତମାନେ ଏକ ବନ୍ଧୁକ ମଧ୍ୟ ଦେଖାଇ ଭୟଭୀତ କରିଥିଲେ। ସେଥିରେ ସଫଳ ନ ହେବାରୁ ଭୁଜାଲିରେ ହାଣି ଦେଇ ଟଙ୍କା ବ୍ୟାଗ୍ ଧରି ତେଲକୋଇ ରାସ୍ତାରେ ଚମ୍ପଟ ମାରିଥିଲେ। ଭୁଜାଲି ମାଡ଼ରେ ଶରତଙ୍କ ମୁଣ୍ଡ, ପିଠି, ଗୋଡ ଓ ହାତରେ ଆଘାତ ଲାଗିଛି। ଭରତ ମଧ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ଶିରିଗିଡା ଡ଼ାକ୍ତରଖାନାର ପ୍ରାଥମିକ ଚିକିତ୍ସା କରାଯାଇଛି।

ସୂଚନାଯୋଗ୍ୟ ଯେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ କଳାକନା ବୁଲାଇବାରେ ସଫଳ ହେଉଛନ୍ତି। କିନ୍ତୁ ପୁଲିସ ତାଙ୍କ ଟେର ପାଉନାହିଁ।ଆଜି ଅପରାହ୍ନରେ ନିଜେ ତେଲକୋଇ ଆଇଆଇସି ପୁଲିସ ଗାଡ଼ିରେ ସେହି ରାସ୍ତାରେ ଶିରିଗିଡା ଯାଇଥିଲେ। ସେ ଯିବାର ମାତ୍ର ୧୫ ମିନିଟ୍ ଭିତରେ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ। ପରେ ପୁଲିସ ଫେରିବା ବେଳେ ଲୋକେ ଘଟଣା ସମ୍ପର୍କରେ ଜଣାଇଥିଲେ। ଗତ ୨୪ ତାରିଖ ଦିନ ଛାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ଲୁଲେନ କୁମାର ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବାଇକ୍ ଡିକିକୁ ଭୁଜାଲିରେ ହାଣି ଭୟଭୀତ କରି ୧୦ ହଜାର ୮୦୦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।  ଜୁଲାଇ ୨୫ ତାରିଖ ଦିନ ସକାଳ ୧୦ଟା ବେଳେ କୋଇଲିସୁତା ହାଟ ପଡ଼ିଆ ନିକଟରେ କରଦାଙ୍ଗି ଗ୍ରାହକ ସେବା କେନ୍ଦ୍ରର ସଞ୍ଚାଳକ ରତନ ଖୁଣ୍ଟିଆଙ୍କ ଠାରୁ ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ସେହି ମାସ ୮ ତାରିଖ ଶନିବାର ସକାଳ ୮ଟାରେ ଦୋବଲାପାଳ ଛକରୁ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଙ୍କି ଗ୍ରାମର ଆଲୋକ ପଲେଇ ଓ ଅମିୟ କୁମାର ବାରିକଙ୍କ ଠାରୁ ସମାନ ଢଙ୍ଗରେ ୧ ଲକ୍ଷ ୭୦୦୦ ଟଙ୍କା ଲୁଟ୍ ହୋଇଥିଲା। ଜୁନ୍ ୨୩ ରେ ଆକୁଳ-ଭୀମକାଣ୍ଡ ରାସ୍ତାରୁ ଭୀମକାଣ୍ଡ ଏସବିଆଇ ଗ୍ରାହକ ସେବା କେନ୍ଦ୍ରର ସଞ୍ଚାଳକ ସତ୍ୟବ୍ରତ ସାହୁଙ୍କ ୮୦ ହଜାର ଓ ୩୦ ରେ ତେଲକୋଇ ବଜାରର ଜନଗହଳି ପୂର୍ଣ୍ଣ କଲେଜ ରୋଡ଼ରୁ ଶିମିଳିପାଳ ଗ୍ରାମର ଘାସିନାଥ ପ୍ରଧାନଙ୍କ ବାଇକ୍ ଡିକି ଭାଙ୍ଗି ୨୧ ହଜାର ୭୦୦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।