ଆଦାନୀକୁ ଋଣ ଦେବାକୁ ମନାକଲେ ଚୀନର ଦୁଇଟି ବ୍ୟାଙ୍କ

ଅଷ୍ଟ୍ରେଲିଆରେ କୋଇଲା ଖଣି ପ୍ରକଳ୍ପର ବିକାଶ କରୁଥିବା ଭାରତୀୟ କମ୍ପାନି ଆଦାନିକୁ ଆଉ ଏକ ଝଟ୍‌କା ଲାଗିଛି । ଚୀନର ଦୁଇଟି ବଡ଼ ବ୍ୟାଙ୍କ ଏହି ପ୍ରକଳ୍ପ ଲାଗି ଋଣ ଦେବାକୁ ମନା କରିଦେଇଛନ୍ତି । ଏହି ଦୁଇଟି ବ୍ୟାଙ୍କ ହେଲେ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ ଚାଇନା (ଆଇସିବିସି) ଓ ଚାଇନା କନଷ୍ଟ୍ରକସନ ବ୍ୟାଙ୍କ । ଉକ୍ତ କୋଇଲା ପ୍ରକଳ୍ପକୁ ଋଣ ଦେବାକୁ ଏହି ଦୁଇଟି ବ୍ୟାଙ୍କ ସହ ଆଦାନିର କଥାବାର୍ତ୍ତା ଚାଲିଥିବା କିଛିଦିନତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡ ରାଜ୍ୟରେ ଆଦାନିର ପ୍ରସ୍ତାବିତ କାରମିକାଏଲ କୋଇଲା ଖଣିକୁ ନେଇ ମୂଳରୁ ହିଁ ବିବାଦ ଦେଖାଦେଇଛି । ସ୍ଥାନୀୟ ଲୋକେ ଓ ପରିବେଶବିତ୍‌ମାନେ ଏହି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି । ଏହା ଉକ୍ତ ଅଞ୍ଚଳର ସାମୁଦ୍ରିକ ପରିବେଶକୁ ନଷ୍ଟ କରିଦେବ ବୋଲି ସେମାନେ କହୁଛନ୍ତି ।

ଏହି କୋଇଲା ପ୍ରକଳ୍ପରେ ମୋଟ ୪ ବିଲିୟନ ଅଷ୍ଟ୍ରେଲିଆ ଡଲାର ନିବେଶ କରିବାକୁ ଆଦାନୀ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟ ଲାଗି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରାୟ ୨ ବିଲିୟନ ଅଷ୍ଟ୍ରେଲିଆ ଡଲାରର ଫାଇନାନ୍ସ ଚାହୁଁଛି କମ୍ପାନି । ଏହା ପୂର୍ବରୁ ଭାରତୀୟ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କମ୍ପାନିକୁ ଦିଆଯାଇଥିବା ଋଣକୁ ନେଇ ବିବାଦ ଉଠିଥିଲା ।

ଏହି କମ୍ପାନି ଓଡ଼ିଶାରେ ଧାମରା ବନ୍ଦର ଚଳାଉଥିବାବେଳେ ଏକ କୋଇଲା ବ୍ଲକ ମଧ୍ୟ ପାଇଛି ।

ସମ୍ବନ୍ଧିତ ଖବର