କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ମଣ୍ଡୁଆ ଗାଁର ଧନେଶ୍ଵର ନାଏକ ଗତକାଲି ଅପରାହ୍ନରେ ହୋଲି ଖେଳିସାରି ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ। ସଂଧ୍ୟାରେ ପରିବାର ଲୋକେ ବହୁ ଖୋଜାଖୋଜି କରି ଧନେଶ୍ଵରଙ୍କୁ ପାଇ ନ ଥିଲେ। ହେଲେ ଆଜି ସକାଳେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଖବର ପାଇ ପରିବାର ଲୋକେ ଅଗ୍ନିଶମ ବାହିନୀ ସହ ପୁଲିସକୁ ଖବର ଦେଇଥିଲେ।
ଏମାନେ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ଶବକୁ ଉଦ୍ଧାର କରିଥିଲେ। ଗତକାଲି ମଧ୍ୟ ଏହି ଟାଉନ ଥାନା ଅଞ୍ଚଳର ହରିଡାଗୋଠ ଗାଁରେ ମଧ୍ୟ ହୋଲି ଖେଳି ଗାଧୋଇବାକୁ ଯାଇ ଜଣେ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ।
ଗତକାଲି କେନ୍ଦୁଝର ଟାଉନ ଥାନା ହରିଡା ଗୋଠଠାରେ ପୋଖରୀରେ ବୁଡ଼ି ଶତ୍ରୁଘନ ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ହୋଲି ଖେଳି ସାରିବା ପରେ ଗାଧେଇବାକୁ ପୋଖରୀକୁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡି ଯାଇଥିଲେ। ଗାଁ ଲୋକ ଦେଖି ତାଙ୍କୁ ଉଦ୍ଧାର କରି ୧୦୮କୁ ଯୋଗାଯୋଗ କରିଥିଲେ ମଧ୍ୟ ମେଡିକାଲଠାରୁ ୭ କିଲୋମିଟର ଦୂରରେ ଥିବା ହରିଡାଗୋଠ ଗ୍ରାମକୁ ପହଞ୍ଚିଲାନି । ବାଧ୍ୟ ହୋଇ ଅଟୋରେ ଗୁରୁତର ବ୍ୟକ୍ତିଙ୍କୁ ଅଣାଯାଉଥିବା ବେଳେ ସହରର ମଣ୍ଡୁଆଠାରେ ଅଟୋରେ ତେଲ ସରିଯିବାରୁ ଏକ ବାଇକରେ ଉକ୍ତ ବ୍ୟକ୍ତିଙ୍କୁ କେନ୍ଦୁଝର ମେଡିକାଲକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ।