ଭୁବନେଶ୍ବର : ନିଶାସକ୍ତ ଅବସ୍ଥାରେ ଆମ୍ବୁଲାନ୍ସରେ ରୋଗୀ ସ୍ଥାନାନ୍ତର କରୁଥିବା ୧୦୮ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜ୍ୟରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ୍ କେୟାର ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଦେଉଳି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଅବସ୍ଥାପିତ ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ବାରିପଦା ଡାକ୍ତରଖାନାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ଏଥିରେ ଥିବା ସହ-ଡ୍ରାଇଭରଜଣକ ବାଟରେ ଅତିକ୍ରମ କରୁଥିବା ଅନେକ ଗାଡ଼ିକୁ ଏକ ପ୍ଲାଷ୍ଟିକ ପାଇପରେ ପିଟି ଚାଲୁଥିଲେ। ଉଭୟ ଡ୍ରାଇଭର ରଜତ କୁମାର ଦାସ ଓ ଦେବାଶିଷ ଦାସ ମଧ୍ୟ ନିଶାସକ୍ତ ଥିଲେ। ଆମ୍ବୁଲାନ୍ସ ପଛରେ ଆସୁଥିବା ସମ୍ବିତ ବିଶ୍ୱକର୍ମା ଓଝା ନାମକ ଜଣେ ଯାତ୍ରୀ ଏହା ଦେଖି ତାଙ୍କୁ ପିଛା କରିଥିଲେ। ସମ୍ବିତ୍ ନିଜ ମୋବାଇଲ୍ରେ ଏହାର ଭିଡିଓ ରେକର୍ଡିଂ କରିବା ସହ ଧାମନଗରଠାରେ ଆମ୍ବୁଲାନ୍ସକୁ ଅଟକାଇଥିଲେ। ଏହାପରେ ସମ୍ବିତ ୧୦୮ ହେଲପ ଲାଇନ ନମ୍ବରକୁ କଲ୍ କରି ଅଭିଯୋଗ ଦାଖଲ କରିବା ସହ ନିକଟସ୍ଥ ପୁଲିସ୍ କର୍ମଚାରୀଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ପରେ କମ୍ପାନି ପକ୍ଷରୁ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
ଜିକିତ୍ସା ହେଲଥ କେୟାରର ଓଡ଼ିଶା ମୁଖ୍ୟ, ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ସମ୍ବିତଙ୍କ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ। ଜିକିତ୍ସା ସର୍ବଦା ସୁରକ୍ଷିତ ରୋଗୀ ସ୍ଥାନାନ୍ତରକୁ ପ୍ରାଧାନ୍ୟ ଦେଇଆସିଛି। ସୁରକ୍ଷିତ ଓ ଠିକ୍ ସମୟରେ ରୋଗୀଙ୍କୁ ସେବା ଯୋଗାଇବା ସୁନିଶ୍ଚିତ କରିବା ପାଇଁ କମ୍ପାନି ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ambulance.jpg)