୪୦ କେଜି ବାରହା ମାଂସ ଜବତ: ଦୁଇ ଶିକାରୀ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ବନାଂଚଳ, ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି ବିକ୍ରି କରାଯାଉଥିବାର ବଡ଼ବିଲ ପୁଲିସ ସୂଚନା ପାଇ ବନ ବିଭାଗକୁ ଖବର ଦେଇଥିଲା। ବଡ଼ବିଲ ବନ ବିଭାଗର ଏକ ଦଳ ବଡ଼ବିଲ ପୁଲିସ ସହାୟତାରେ ଚଢଉ କରି ଗତ ୨୪ ତାରିଖ ବିଳମ୍ବିତ ରାତିରେ ୪୦ ‌କେଜି ବାରହା ମାଂସ ଜବତ କରିଥିବାବେଳେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି।
ମିଳିଥିବା ଖବର ଅନୁଯାୟୀ ବଡ଼ବିଲ ବନାଂଚଳରେ ବାରହା ଶୀକାର ନିତି ଦିନିଆ ଘଟଣା। ଅନେକ ସମୟରେ ଶିକାରୀ ବାରହା, କୁଟୁରା, ହରିଣ ସହ ବିଭିନ୍ନ ବନ୍ୟଜନ୍ତୁକୁ ଶିକାର କରିବା ନିମନ୍ତେ କେତେବେଳେ ବିଦ୍ୟୁତ୍ ଲାଇନ ତ‌ କେତେବେଳ ଫାସ ବସାଇ ଶିକାର କରିଥାଆନ୍ତି। ଗତ ୨୪ ତାରିଖରେ ବଡ଼ବିଲ ବନାଂଚଳ ବଳିତା ଗ୍ରାମର ମଘୁ ବେଣ୍ଟକାର ଓ ଶିକାରୀ ମୁଣ୍ଡା ତାଙ୍କର ଆଉ କିଛି ସହଯୋଗୀଙ୍କ ସହ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଫାସ ବସାଇଥିଲେ। ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ଉକ୍ତ ଫାସରେ ଦୁଇଟି ବାରହା ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ଶିକାରୀ ମାନେ ବାରହା ଦୁଇଟିକୁ ପିଟି ଉକ୍ତ ସ୍ଥାନରେ ମାରି ଦେଇଥିଲେ। ପରେ ମୃତ ବାରହା ଦୁଇଟିକୁ ଆଣି ଏକ ନିଛାଟିଆ ସ୍ଥାନରେ କାଟୁଥିବା ସମୟରେ ବଡ଼ବିଲ ପୁଲିସ ଖବର ପାଇଥିଲା।

ଖବର ପାଇ ବଡ଼ବିଲ ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ଦୁଇଟି ଯାକ ବାରହାର ଅଧାକଟା ମାଂସ ଜବତ କରିଥିଲେ। ଗିରଫ ମଘୁ ବେଣ୍ଟକାର ଓ ଶିକାରୀ ମୁଣ୍ଡାଙ୍କ ଠାରୁ ଦୁଇଟି କଟୁରି, ଗୋଟିଏ ଛୁରି, ମାଂସ କାଟିବା ପାଇଁ ଏକ କାଠ ଗଣ୍ଡି, ୨୦ ମିଟର ଜିଆଇ ତାର ସହ ମାରଣାସ୍ତ୍ର ଜବତ୍ କରିଥିଲା ବନ ବିଭାଗ। ବଡ଼ବିଲ ବନାଂଚଳ ଅଧିକାରୀ ସୁରଜିତ୍ କୁମାର ସାହୁଙ୍କ ନିର୍ଦ୍ଦେଶରେ ବନଖଣ୍ଡ ଅଧିକାରୀ ଦଶରଥ ଗିରିଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା ଓ ଗିରଫ ଦୁଇ ଶିକାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର