ହାଇଦ୍ରାବାଦ: ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍ ଜିଲ୍ଲାରେ ବସ୍ ଚଳାଇବାବେଳେ ଜଣେ ୬୩ ବର୍ଷିୟ ଡ୍ରାଇଭର୍ ହୃଦ୍ଘାତରେ ମରିଯିବା ଯୋଗୁଁ ବସ୍ଟି ଏକ ମଟର୍ସାଇକେଲ୍ରେ ଧକ୍କା ଖାଇବାରୁ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ସାତ୍ତେନାପଲ୍ଲୀସ୍ଥିତ ଲୟଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ଆଣ୍ଡ୍ ମ୍ୟାନେଜ୍ମେଣ୍ଟ୍ର ସେ ବସ୍ଟି ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ କଲେଜରୁ ନରାସ୍ରାଓପେଟ୍ ଅଭିମୁଖେ ଯାତ୍ରା କରୁଥିଲା।
ଗୁଣ୍ଟୁର୍ ପୁଲିସ କହିବା ଅନୁସାରେ, ନରାସ୍ରାଓପେଟ୍ ସହରର ମେଟ୍ଟୁ ବୀର ରେଡ୍ଡୀ କଲେଜ ସମୟ ପରେ ସନ୍ଧ୍ୟାବେଳେ ତା’ର ଗନ୍ତବ୍ୟସ୍ଥଳକୁ ବସ୍ଟିକୁ ଚଳାଇ ନେଉଥିଲା। ମୁପ୍ପାଲ୍ଲା ବ୍ଲକ୍ ଅନ୍ତର୍ଗତ ଚଙ୍ଗତିବାରିପାଲେମ୍ ଗାଁ’ରେ ବସ୍ଟି ପହଞ୍ଚିବା ପରେ ରେଡ୍ଡୀ ଭୀଷଣ ହୃଦ୍ଘାତର ଶିକାର ହୋଇ ବସ୍ ଉପରୁ ନିୟନ୍ତ୍ରଣ ହରାଇ ଥିଲେ।
ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ବସ୍ ଏଣେ ତେଣେ ମାଡ଼ି ଯାଇ ଏକ ମୋଟର୍ ସାଇକେଲ୍ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ମୃତ ଲୋକମାନେ ହେଉଛନ୍ତି ୬୦ ବର୍ଷିୟ ଅନାକାଲ୍ଲ ଶ୍ରୀନିବାସ ରେଡ୍ଡୀ ଏବଂ ତାଙ୍କ ୭୫ ବର୍ଷୀୟ ଶାଶୂ ଶ୍ରୀରଙ୍ଗମ୍ମା। ସେମାନେ ତାଙ୍କ ବିଲରୁ ଫେରୁଥିଲେ।
ଛାତ୍ରଛାତ୍ରୀମାନେ ଛାନିଆ ହୋଇ ଷ୍ଟିଅର୍ରିଙ୍ଗ୍ ଆଡ଼କୁ ଧାଇଁ ଯାଇ ଦେଖନ୍ତି ତ ଡ୍ରାଇଭର୍ ତାଙ୍କ ସିଟ୍ରେ ଟଳି ପଡ଼ିଛନ୍ତି। ବଡ଼ କଷ୍ଟରେ ଯାହା ଯେମିତି କରି ସେମାନେ ଗାଡ଼ିଟିକୁ ନିୟନ୍ତ୍ରଣ କରି ବ୍ରେକ୍ କଷି ଥିଲେ।
ପୁଲିସ କହେ, ରାଷ୍ଟ୍ରାୟାତ ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ରୋଡ୍ ଟ୍ରାନ୍ସ୍ପୋର୍ଟ କର୍ପୋରେସନ୍ରୁ ଅବସର ଗ୍ରହଣ କରିବା ପରେ ରେଡ୍ଡୀଙ୍କୁ କଲେଜ ମ୍ୟାନେଜ୍ମେଣ୍ଟ୍ ତାଙ୍କ ବସ୍ ଚଳାଇବାକୁ ନିଯୁକ୍ତି ଦେଇଥିଲା।
ବ୍ୟବଚ୍ଛେଦ ପାଇଁ ମୃତ ଲୋକମାନଙ୍କର ଶବଗୁଡ଼ିକ ନରସରାଓପେଟ୍ ଡାକ୍ତରଖାନାକୁ ପଠାଇ ଦିଆଯାଇ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।