ଭୁବନେଶ୍ବରରେ ଖୁବ୍ ଶୀଘ୍ର ଆଉ ୨ଟି କୋଭିଡ୍ ହସ୍ପିଟାଲ୍, କଟକ ଏସସିବରେ ଚିକିତ୍ସା ଉପରେ ଗୁରୁତ୍ବ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାର କରୋନା ମୁକାବିଲାର ସମୀକ୍ଷା କରିବା‌ ସହ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।  କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା କୋଭିଡ ଯୋଦ୍ଧାମାନଙ୍କର ଉପଯୁକ୍ତ ଯତ୍ନ ନେବା ସହିତ କଟକ ଏସସିବିକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦନ ହଜାର ହଜାର ଲୋକ ଆସୁଥିବାରୁ ଏଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ନିମ୍ନୋକ୍ତ ନିଷ୍ପତ୍ତି ନିଆଯାଇଛି।

୧- ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି  ଆଇସିୟୁ ସହିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ।
୨- ନୀଳାଚଳ ଡାକ୍ତରଖାନାରେ ୧୫ଟି ଆଇସିୟୁ  ସହିତ ୧୨୬ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍  ଚଳିତ ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ।
୩- ଭୁବନେଶ୍ବରର ତିନି ବିଧାୟକଙ୍କ ସକ୍ରିୟ ସହଯୋଗ ଏବଂ ଭୁବନେଶ୍ବରର ବିଭିନ୍ନ ଧାର୍ମିକ, ସାମାଜିକ ଅନୁଷ୍ଠାନ, ଏନଜିଓ ଓ ଆବାସିକ କଲ୍ୟାଣ ସଂସ୍ଥା ଗୁଡିକ ଦ୍ବାରା ଭୁବନେଶ୍ବରରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍‌ ଖୁବ ଶୀଘ୍ର ସ୍ଥାପନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଆଗେଇ ଆସିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
୪- ଭୁବନେଶ୍ବରର ବସ୍ତିମାନଙ୍କରେ କୋଭିଡ ସଂକ୍ରମଣ ରୋକିବା ଉପରେ ଫୋକସ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବସ୍ତି କମିଟିଗୁଡିକ ଏ ଦିଗରେ ଭଲ କାମ କରୁଥିବାକୁ ବିଏମସି ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
୫- କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ୯୨୫ ଅତିରିକ୍ତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ, କୋଭିଡ କେୟାର ସେଣ୍ଟର କଟକ ଜିଲ୍ଲାରେ କାର୍ଯ୍ୟ କରୁଛି।
୬- ପୂଜା କମିଟି ଓ ସାହି କମିଟିର ସହଯୋଗରେ କଟକର ସାହି ବସ୍ତି ମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ବ ।
୭- କଟକ ଏସସିବିରେ  କୋଭିଡ-୧୯ ସଂପର୍କରେ ତାଲିମ ଓ ସୂଚନା ଦେବା ପାଇଁ ସୂଚନ କେନ୍ଦ୍ର ଖୁବ୍‌ ଶୀଘ୍ର କାର୍ଯ୍ୟ କରିବ।
୮-  କଟକସ୍ଥିତ Molecular Genome Labର  up-gradation କରାଯିବ। ଏହାଦ୍ବାରା କୋଭିଡ-୧୯ ରୋଗୀ ମାନଙ୍କୁ ଫଳପ୍ରଦ ଚିକିତ୍ସା ଯୋଗାଇ ଦିଆଯାଇପାରିବ।

ସମ୍ବନ୍ଧିତ ଖବର