ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଘଡ଼ିଆମାଳ ପଞ୍ଚାୟତ ଜୁଣଗଡ଼ି ନିକଟରେ ୮୦ ଫୁଟ୍ ଲମ୍ବ ଓ ୩୦ ଫୁଟ୍ ଚଉଡ଼ାର ବ୍ରାହ୍ମଣୀ ନଦୀ ପଠା ଧସିଯାଇଛି। ଏତେବଡ଼ ଅତଡ଼ା ଧସିବା ଯୋଗୁଁ ଜୁଣଗଡ଼ି ଓ ପଞ୍ଚୁପଲ୍ଲୀ ଗାଁ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏନେଇ ପଦକ୍ଷେପ ନିଆ ନ ଗଲେ ଆଗକୁ ବଡ଼ ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାଜନଗର ବ୍ଲକ୍ ଘଡ଼ିଆମାଳ ପଞ୍ଚାୟତର ପଞ୍ଚୁପଲ୍ଲୀ ଓ ଜୁଣଗଡ଼ି ଗାଁର ଦୁଇ ପାର୍ଶ୍ବରେ ଦୁଇଟି ନଈ ବହି ଯାଇଛି। ଗାଁର ପଶ୍ଚିମ ପଟରେ ବ୍ରାହ୍ମଣୀ ଓ ପୂର୍ବପଟରେ ପାଟ୍ଟଶାଳା ନଦୀ ରହିଛି। ଗତ ୧୦ ବର୍ଷ ଧରି ପାଟ୍ଟଶାଳା ନଦୀ ଜୁଣଗଡ଼ି ନିକଟରେ ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାକୁ ପର୍ଯ୍ୟାୟକ୍ରମେ ଗର୍ଭସ୍ଥ କରିଚାଲିଛି। ପଥର ପ୍ୟାକିଂ ଓ ଡମ୍ପିଂ ପରେ ରାସ୍ତାକୁ ନଦୀ ଛୁଇଁଥିଲେ ମଧ୍ୟ ଗାଡ଼ି ଚଳାଚଳ କରିପାରୁଛି। ଗାଁର ପଶ୍ଚିମପଟରେ ଥିବା ବ୍ରାହ୍ମଣୀ ନଦୀ ଦୀର୍ଘବର୍ଷ ତଳେ ଥିବା ନଦୀବନ୍ଧକୁ ଗର୍ଭସ୍ଥ କରିବା ପରେ ୩ ବର୍ଷ ତଳେ ପଞ୍ଚୁପଲ୍ଲୀରୁ ପଦ୍ମନାଭପୁର ଯାଏ ନୂଆବନ୍ଧ ନିର୍ମାଣ ହୋଇଛି।
ଏହି ବନ୍ଧର ପଦ୍ମନାଭପୁର ନିକଟରେ କିଛି ଅଂଶ ପଥର ପ୍ୟାକିଂ ହୋଇଥିବା ବେଳେ ଅନ୍ୟଅଂଶ ଏଯାଏ ପଥର ପ୍ୟାକିଂ ହୋଇନି। ବୁଧବାର ରାତିରେ ଜୁଣଗଡ଼ି ଗାଁର ସଦାନନ୍ଦ ବାରିକ, ମହେଶ୍ବର ବାରିକ, ଶୁକଦେବ ନାୟକଙ୍କ ଘର ନିକଟରେ ବ୍ରାହ୍ମଣୀ ନଦୀ ପଠାକୁ ଧସେଇ ନେଇଛି। ଏହି ପ୍ରକ୍ରିୟା ଜାରି ରହିଲେ ୩ ବର୍ଷ ତଳେ ନିର୍ମାଣ ହୋଇଥିବା ନୂଆ ଘେରିବନ୍ଧ ମଧ୍ୟ ଭାସିଯିବାର ଆଶଙ୍କା ରହିଛି। ନୂଆ ଘେରିବନ୍ଧ ଠାରୁ ନଦୀର ଦୂରତା ମାତ୍ର ୧୦ ଫୁଟ୍ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ଅତଡ଼ା ଧସିଥିବା ସ୍ଥାନର ମାତ୍ର ଅଳ୍ପଦୂରରେ ନଦୀ ମଧ୍ୟରେ ପ୍ରାୟ ୧ କିମି ଲମ୍ବ ଓ ୫୦ ଫୁଟ୍ ଚଉଡ଼ାର ଏକ ବଡ଼ ପଠା ତିଆରି ହୋଇଛି। ନଦୀ ଭିତରେ ପଠା ତିଆରି ହୋଇଯିବା ପରେ ଜୁଆର ସମୟରେ ପାଣି ଗାଁ ପଟରେ ମାଡ଼ ନେଉଛି। ଫଳରେ ବ୍ରାହ୍ମଣୀ ନଦୀ ଅଧିକ ଉଗ୍ର ହୋଇ ପଠା ଖାଇବା ଆରମ୍ଭ କରିଛି। ଗୁରୁବାର ସକାଳେ ଗାଁ ଭିତରକୁ ନଦୀ ଚାଲି ଆସିଥିବା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/sfsfsfsfs.jpg)