ନୂଆଦିଲ୍ଲୀ: ଆମେରିକାରେ କରୋନା ଟିକା ବିତରଣ ପାଇଁ ଚାର୍ଟର ବିମାନ ଉଡ଼ାଣ ଆରମ୍ଭ କରାଯାଇଛି। ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ଦ୍ୱାରା ଫାଇଜର କରୋନା ଟିକା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଛି। କିଛି ଦିନ ପୂର୍ବରୁ ଫାଇଜର କହିଥିଲା ଯେ, ଏହାର କରୋନା ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ ଅଟେ। ଫାଇଜର ଏହି ଘୋଷଣା ପରେ ଏବେ ଆମେରିକା ଚାର୍ଟର ବିମାନ ଯୋଗେ ଟିକା ବିତରଣ ଆରମ୍ଭ କରିଥିବା ଜଣା ପଡ଼ିଛି।
ଫାଇଜର କମ୍ପାନିର ଯୋଜନା ଅନୁଯାୟୀ, ଏହି ଟିକା ବିମାନରୁ ଆମେରିକାର ଟିକାକରଣ କେନ୍ଦ୍ରର ଅତି ନିକଟତର ଥିବା ସ୍ଥାନକୁ ପଠାଯିବ। ପରେ ଅନୁମତି ମିଳିଲେ ଟିକାକୁ ବଣ୍ଟନ କେନ୍ଦ୍ରରୁ ଟିକାକରଣ କେନ୍ଦ୍ରକୁ ପଠାଯିବ। କରୋନା ଟିକାକୁ ବଣ୍ଟନ କେନ୍ଦ୍ରରୁ ଟିକାକରଣ କେନ୍ଦ୍ରରେ ପହଞ୍ଚିବାକୁ ତିନି ଦିନ ସମୟ ଲାଗିପାରେ |
/sambad/media/post_attachments/babba42c598551e3f986d77fd357700bcc4c481948bb6a08f1c2a7de60d63363.jpg)
ମିଳିଥିବା ସୂଚନା ମୁତାବକ, ବିମାନରେ ଟିକା ପଠାଇବା ବିଶ୍ୱ ଯୋଗାଣ ଏବଂ ବଣ୍ଟନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି | ଏହି ପ୍ରସ୍ତୁତିକୁ ଦେଖି ଡିସେମ୍ବର ଶେଷ ଆଡ଼କୁ ଆମେରିକାରେ ଟିକାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଶୀଘ୍ର ଏହି ଟିକାକୁ ଅନୁମୋଦନ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ଟିକା ପରିବହନ କରିବାକୁ ୟୁନାଇଟେଡ୍ ଏୟାର ଲାଇନ୍ସର ଫ୍ଲାଇଟ୍ସରେ ଅଧିକରୁ ଅଧିକ ବରଫ ମହଜୁଦ ରଖିବାକୁ ମଞ୍ଜୁରୀ ମିଳିଛି । କାରଣ ଫାଇଜରର ଏହି ଟିକା ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡୁଛି । ଟିକା ପରିବହନ କରିବାକୁ ଫାଇଜର ସୁଟକେସ୍ ଆକାରରେ ବାକ୍ସ ନିର୍ମାଣ କରିଛି, ଯେଉଁଥିରେ କି ଶୁଖିଲା ବରଫ୍ ସହିତ ଟିକାକୁ ରଖା ଯାଉଛି। ଏହା ପୂର୍ବରୁ ଫାଇଜର କହିଥିଲା କି ଆମେରିକା ଓ ୟୁରୋପଠାରେ କମ୍ପାନି ପକ୍ଷରୁ ଲକ୍ଷାଧିକ ଡୋଜ୍ ପ୍ରସ୍ତୁତ ହୋଇ ରହିଛି । ଏବେ ଏହାକୁ ବାଣ୍ଟନ କରିବାକୁ ବ୍ୟବସ୍ଥା କରାଯାଉଛି। କାରଣ ମଞ୍ଜୁରୀ ମିଳିବା ପରେ ଯେତେଶୀଘ୍ର ସମ୍ଭବ ଟିକାକରଣ ଆରମ୍ଭ ହୋଇଯିବ । ଫାଇଜର କମ୍ପାନି ଗୋଟିଏ ଦିନରେ ୨୦ଟି ବିମାନରେ ଟିକା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି ।