ନୂଆଦିଲ୍ଲୀ: ଗତକାଲି କାଜାକସ୍ଥାନରେ ଥିବା ଚୀନ୍ ଦୂତାବାସ ଏକ ‘ଅଜଣା ନିମୋନିଆ’ ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରିଥିଲା । କେନ୍ଦ୍ରୀୟ ଏସୀୟ ଦେଶମାନଙ୍କରେ ବ୍ୟାପୁଥିବା ଏହି ନିମୋନିଆ ଯୋଗୁଁ ଜୁନ୍ ମାସରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଥିଲା ଚୀନ୍ ଦୂତାବାସ । ତେବେ ଚୀନ୍ ଦୂତାବାସ ଏହାକୁ ‘ଅଜଣା ନିମୋନିଆ’ ବୋଲି କହୁଥିବା ବେଳେ ଏହା କୋଭିଡ-୧୯ ହୋଇଥାଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ମୁଖ୍ୟ ଡା. ମାଇକେଲ ରିୟାନ୍ କହିଛନ୍ତି ଯେ, କାଜାକସ୍ତାନରେ ଅଜ୍ଞାତ ନିମୋନିଆ କୁହାଯାଉଥିବା ରୋଗ କରୋନାଭାଇରସ୍ ସଂକ୍ରମଣ କାରଣରୁ ହୋଇପାରେ ବୋଲି ଏଜେନ୍ସି ବିଶ୍ୱାସ କରେ। ଐହାପରେ ଚୀନ ଦୂତାବାସ ମିଛ କହୁଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।
ଡା. ମାଇକେଲ ରିୟାନ୍ କହିଛନ୍ତି ଯେ, ଗତ ସପ୍ତାହରେ କାଜାକସ୍ତାନ କର୍ତ୍ତୃପକ୍ଷ ୧୦,୦୦୦ରୁ ଅଧିକ ଲ୍ୟାବ-ନିଶ୍ଚିତ ହୋଇଥିବା କୋଭିଡ -୧୯ ମାମଲା ରିପୋର୍ଟ କରିଛନ୍ତି ଏବଂ ମଙ୍ଗଳବାର ସୁଦ୍ଧା ପ୍ରାୟ ୫୦,୦୦୦ ମାମଲା ଚିହ୍ନଟ ଏବଂ ୨୬୪ ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍ ଦୂତାବାସ ଯାହାକୁ ‘ଅଜଣା ନିମୋନିଆ’ ବୋଲି କହିଛି ତାହା କୋଭିଡ -୧୯ ହୋଇପାରେ| ରିୟାନ୍ ଆହୁରି ମଧ୍ୟ କହିଛନ୍ତି, “ଆମେ ରୋଗ କ’ଣ ତାହା ଜାଣିବା ପାଇଁ ପ୍ରକୃତ ପରୀକ୍ଷଣ ଏବଂ ପରୀକ୍ଷଣର ଗୁଣବତ୍ତା ଉପରେ ଦୃଷ୍ଟି ରଖିଛୁ | ‘ଅଜଣା ନିମୋନିଆ’ କୋଭିଡ -୧୯ ସହିତ ସମାନ କି ନୁହେଁ ତାହା ଜାଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଏକ୍ସ-ରେ ସମୀକ୍ଷା କରିବା ଏବଂ ନିମୋନିଆ ରୋଗର ନମୁନା ଦେଖିବା ପାଇଁ କାର୍ଯ୍ୟ କରୁଛି |