ସିଓଲ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଲାଗି ରହିଥିବା ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ସାମାନ୍ୟ ସୁଧାର ହୋଇଥିବା ବେଳେ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏବେ କ୍ଷେତ୍ର ପ୍ରସ୍ତୁତ ହୋଇଛି। ଉତ୍ତର କୋରିଆ ସହ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସଙ୍କେତ ଦେବାପରେ ଦକ୍ଷିଣ କୋରିଆ ତାର ପ୍ରତିନିଧି ଦଳକୁ ଆସନ୍ତାକାଲି ପୋଙ୍ଗ୍ୟାଙ୍ଗ୍ ପଠାଇବ ବୋଲି ଘୋଷଣା କରିଛି। ତେବେ ଆମେରିକା ସହ କଥାବାର୍ତ୍ତା ଆରମ୍ଭ ପୂର୍ବରୁ ଉତ୍ତର କୋରିଆ କେତେକ ସର୍ତ୍ତ ଆରୋପ କରିଛି। ଏ ବାବଦରେ ଜାରି ବିବୃତିରେ କୁହାଯାଇଛି ଯେ ପ୍ରଥମେ ଆମେରିକା ଏବଂ ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସ ସଂପୂର୍ଣ୍ଣ ବନ୍ଦ ହେବା ଆବଶ୍ୟକ। ଉତ୍ତର କୋରିଆକୁ ଭୟଭୀତ କରି କେହି କଥାବାର୍ତ୍ତା କରିବା ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି କୁହାଯାଇଛି। ଆସନ୍ତା ମାସରେ ଆମେରିକା ଓ ଦକ୍ଷିଣ କୋରିଆ ବଡ଼ ଧରଣର ସମରାଭ୍ୟାସ ପାଇଁ ଯୋଜନା କରିଥିବା ବେଳେ ଉତ୍ତର କୋରିଆର ଏଭଳି ସର୍ତ୍ତ ଅଡ଼ୁଆ ସୃଷ୍ଟି କରିବ ବୋଲି କୁହାଯାଇଛି।
ଉତ୍ତରକୋରିଆର ବର୍ଦ୍ଧିତ ଆଣବିକ କାର୍ଯ୍ୟକ୍ରମକୁ ବିରୋଧ କରି ଆମେରିକା ଯେଉଁ କଠୋର କଟକଣା ଲଗାଇଛି ତାହାକୁ କୋହଳ କରିବା ନିମନ୍ତେ ଦୁଇ କୋରିଆ ମଧ୍ୟରେ ପ୍ରଥମେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଉତ୍ତର କୋରିଆ ତା’ର ଆଭିମୁଖ୍ୟ ଦକ୍ଷିଣ କୋରିଆକୁ ଜଣାଇବା ପରେ ଟ୍ରମ୍ପ ପ୍ରଶାସନ ଏ ବାବଦରେ ପଦକ୍ଷେପ ଗ୍ରହଣ କରିବେ। ଦୁଇ କୋରିଆ ମଧ୍ୟରେ ପୁଣିଥରେ ସୃଷ୍ଟି ହୋଇଥିବା ବନ୍ଧୁତ୍ୱକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟ ଆଲୋଚନା ପାଇଁ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଉପ ରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍୍ ଉତ୍ତର କୋରିଆ ବାବଦରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରୁଛନ୍ତି। ୩ ସପ୍ତାହ ତଳେ ଜାପାନ ଗସ୍ତରେ ଥିବା ବେଳେ ମାଇକ୍ ଉତ୍ତରକୋରିଆର କାର୍ଯ୍ୟକ୍ରମକୁ ଦୃଢ ନିନ୍ଦା କରିବା ସହ କଟକଣା ଜାରି ରହିବ ବୋଲି କହିଥିଲେ। ଏବେ ପରିସ୍ଥିତିରେ କିଛିମାତ୍ରାରେ ପରିବର୍ତ୍ତନ ହୋଇଛି। ଗତବର୍ଷ ଉତ୍ତରକୋରିଆ ବିପୁଳ ମାତ୍ରାରେ ବାଲାଷ୍ଟିକ୍ ମିଶାଇଲ ଓ ଷଷ୍ଠ ତଥା ସର୍ବବୃହତ୍ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ବିଗତ ୩ମାସ ହେବ ଉତ୍ତରକୋରିଆ କୌଣସି ପ୍ରକାର ପରୀକ୍ଷଣ କରିନଥିବାରୁ ଆଲୋଚନା ପାଇଁ ରାସ୍ତା ଫିଟିବ ବୋଲି କୁହାଯାଉଛି। କିଛିଦିନ ତଳେ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ଭଉଣୀ କିମ୍୍ ୟୋ ଜଙ୍ଗ୍୍ଙ୍କ ବହୁ ଚର୍ଚ୍ଚିତ ଦକ୍ଷିଣ କୋରିଆ ଗସ୍ତ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ସୁନ୍ଦରୀ କିମ୍ ୟୋ ତାଙ୍କ ଯାଦୁକରୀ ବ୍ୟକ୍ତିତ୍ୱ ବଳରେ ଦକ୍ଷିଣ କୋରିଆ ଜନତାଙ୍କ ମଧ୍ୟରେ ବଳିଷ୍ଠ ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଉତ୍ତର କୋରିଆ ଆସିବା ପାଇଁ କିମ୍୍ ଜଙ୍ଗ୍ଙ୍କ ନିମନ୍ତ୍ରଣକୁ କିମ୍ ୟୋ ବ୍ୟକ୍ତିଗତ ଭାବେ ପ୍ରଦାନ କରିଥିଲେ। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ପାଇଁ ଉଭୟ ଦେଶର ନେତାମାନେ ଆଶାବାଦୀ ରହିଥିବା ବେଳେ କିମ୍ ଜଙ୍ଗ୍ଙ୍କ ପଦକ୍ଷେପକୁ ଦକ୍ଷିଣ କୋରିଆର ଜନତା ମଧ୍ୟ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଉଭୟ ରାଷ୍ଟ୍ର ଅଧିକରୁ ଅଧିକ ନିକଟତର ହେବେ ବୋଲି ସ୍ପଷ୍ଟ ସଙ୍କେତ ମିଳିଛି।