ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶଶୀ କପୁରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଗତ ରାତିରେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ ଅମ୍ବାନି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର ପରଲୋକରେ ଚଳଚ୍ଚିତ୍ର ଜଗତ ଓ ଦର୍ଶକ ମହଲରେ ଶୋକର ଛାୟା ଖେଳି ଯାଇଛି।
ଶଶୀ କପୁରଙ୍କ ଦେହାନ୍ତ ବଲିଉଡ ସମେତ ସାରା ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ୧୯୩୮ ମସିହା ମାର୍ଚ୍ଚ ୧୮ରେ କଲିକତାରେ ଜନ୍ମ ନେଇଥିବା ଏହି ବର୍ଷିଆନ ଅଭିନେତା ନିଜର ଅଭିନୟ କ୍ୟାରିୟରରେ ମୋଟ ୧୬୦ଟି ଚଳଚ୍ଚିତ୍ରରେ କାମ କରିଥିଲେ । ଏହା ମଧ୍ୟରେ ୧୨ଟି ଇଂରାଜୀ ଓ ୧୪୮ଟି ହିନ୍ଦୀ ଚଳଚ୍ଚିତ୍ର ରହିଛି।
ବଲିଉଡ୍ର ପୁରୁଖା ଅଭିନେତା ପୃଥ୍ଵୀରାଜ କପୁର ଓ ରାମଶରନି ମେହରା କପୁରଙ୍କ ସାନ ପୁଅ ଶଶୀ ୪୦ ଦଶକରୁ ହିଁ ଶିଶୁ କଳାକାରଭାବେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଦେଇଥିଲେ । ୪ଟି ଫିଲ୍ମରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଏହା ସହିତ ସେ ନିଜ ବାପାଙ୍କ ଲୋକପ୍ରିୟ ନାଟ୍ୟସଂସ୍ଥା ପୃଥ୍ଵୀ ଥିଏଟରରେ ମଧ୍ୟ କାମ କରୁଥିଲେ । ୧୯୬୧ରେ ପ୍ରଥମ ଥର ପାଇଁ ସେ ୟଶ୍ ଚୋପ୍ରାଙ୍କ ‘ଧରମପୁତ୍ର’ରେ ସୋଲୋ ହିରୋ ଭାବେ ଅଭିନୟ କରିଥିଲେ । ଏହି ଫିଲ୍ମଟି ଫ୍ଲପ ହୋଇଥିଲେ ମଧ୍ୟ ୧୯୬୦ ଓ ୭୦ ଦଶକରେ ସେ ଅନେକ ସୁପରହିଟ୍ ଓ ହିଟ୍ ଫିଲ୍ମରେ କାମ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି ଦିଓ୍ଵାର, କଲୟୁଗ, ଜବ୍ ଜବ୍ ଫୁଲ ଖିଲେ, କଭି, କଭି, ତ୍ରିଶୂଳ,ଓ୍ଵକ୍ତ, ପ୍ୟାର କା ମୌସମ, ରୋଟି କପଡ଼ା ଔର ମକାନ ଇତ୍ୟାଦି ।