ଅଢ଼େଇ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ପ୍ରାଣୀଧନ ଚିକିତ୍ସକ

ଭୁବନେଶ୍ବର/ପିପିଲି/ବାଲିଅନ୍ତା ଫନି ସହାୟତା ଯୋଗାଇ ଦେବାକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ପ୍ରାଣୀଧନ ଚିକିତ୍ସକ ଡା. ସୁରେଶ ଚନ୍ଦ୍ର ବେହେରା। ତେଣୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି। ତାଙ୍କ ବାସଭବନ ସମେତ ବସନ୍ତପେଡ଼ି ଗ୍ରାମରେ ରହୁଥିବା ଅନ୍ୟ ଜଣେ ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ତେବେ ସମ୍ପତ୍ତି ବାବଦରେ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିନାହିଁ।

ବାସୁପୁର ଗାଁର ପ୍ରତାପ ଖଟୋଇଙ୍କର ଏକ କୁକୁଡା ଫାର୍ମ ଥିଲା। ଫନି ବାତ୍ୟାରେ ଫାର୍ମଟି ଭାଙ୍ଗି ଯାଇଥିଲା। ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଅନୁସନ୍ଧାନ ପରେ କ୍ଷତିପୂରଣ ବାବଦକୁ ପ୍ରତାପଙ୍କୁ ୧ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ୩୦ ହଜାର ଟଙ୍କା ମିଳିଥିଲା। ଦାନା, ଚିଆଁ ଓ ଔଷଧପତ୍ର ଖର୍ଚ୍ଚ ବାବଦରେ ବାକି ୭୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ପ୍ରତାପ ଡା. ବେହେରାଙ୍କୁ ଅନୁରୋଧ କରିଥିଲେ। ହେଲେ ଏଥିପାଇଁ ଡାକ୍ତର ବେହେରା ତାଙ୍କୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ପ୍ରତାପ ଭୁବନେଶ୍ବର ଭଜିଲାନ୍ସ ଡିଭିଜନର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ନିର୍ଦ୍ଦେଶ ମୁତାବକ ପ୍ରତାପ ଟଙ୍କା ଦେବା ପାଇଁ ଡାକ୍ତର ବେହେରାଙ୍କୁ ଉତ୍ତରାଛକ ସରଦେଇପୁର ରାସ୍ତାକୁ ଡାକିଥିଲେ। ଆଜି ସନ୍ଧ୍ୟା ପ୍ରାୟ ୭ଟାବେଳେ ଡାକ୍ତର ବେହେରା ଲାଞ୍ଚ ଟଙ୍କା ନେଉଥିବାବେଳେ ଧରାପଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର