ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି, ଗସ୍ତକାଳରେ କୋଭିଡ୍ କଟକଣା ପାଳନ କରିବାକୁ କଡା ନିର୍ଦ୍ଦେଶ

ଭୁବନେଶ୍ବର: ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପରାଷ୍ଟ୍ରପତିଙ୍କ ଗସ୍ତ କାଳରେ କୋଭିଡ୍ ନିୟମ ଅନୁପାଳନ କରିବା ନେଇ କଡା ନିର୍ଦ୍ଦେଶ ଦିଆଯାଇଛି ।

ଉପରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କର ଆରଟିପିସିଆର ଟେଷ୍ଟ ହେବ । ଏହାସହିତ କଟକସ୍ଥିତ ସାରଳା ଭବନ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସଂସ୍ପର୍ଶରେ ଆସିବାକୁ ଥିବା ପ୍ରତ୍ୟେକ ଲୋକର କୋଭିଡ୍ ଟେଷ୍ଟ ହେବ । ଏହାସହ ସଭାସ୍ଥଳରେ ଉପସ୍ଥିତ ରହିବାକୁ ଥିବା ଲୋକମାନେ ପରସ୍ପରଠାରୁ ୬ ଫୁଟ୍ ଦୂରତାରେ ବସିବେ । ବିମାନ ବନ୍ଦର, ଗସ୍ତକାଳ, ରହଣୀ ସମୟରେ କୋଭିଡ୍ ନିୟମ କଡାକଡି ପାଳନ କରିବାକୁ ପୋଲିସ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଉପରାଷ୍ଟ୍ରପତି ସଭାସ୍ଥଳରେ କୌଣସି ପ୍ରକାର ଫୁଲତୋଡା କିମ୍ବା ଅନ୍ୟ ଉପହାର ସିଧାସଳଖ ଗ୍ରହଣ କରିବେ ନାହିିଁ ।

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କ ସୂଚନା ମୁତାବକ, ଏପ୍ରିଲ ଦୁଇ ତାରିଖ ପୂର୍ବାହ୍ନରେ ଉପରାଷ୍ଟ୍ରପତି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିବେ । ସେଠାରୁ ସେ ରାଜଭବନ ଅଭିମୁଖେ ଯାତ୍ରା କରିବେ । ସେଠାରୁ ଉପରାଷ୍ଟ୍ରପତି କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ଆଦି କବି ସାରଳା ଦାସଙ୍କ ୬ଶହ ତମ ଜନ୍ମଜୟନ୍ତୀ ଏବଂ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହରେ ଯୋଗଦେବେ । ଏପ୍ରିଲ ୩ ତାରିଖରେ ଉପରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଏହି ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ଥିତି ପରଖିଛନ୍ତି ବିଏମସି କମିସନର ଓ କମିସନରେଟ ପୁଲିସ। ସମାଵର୍ତନ ଉତ୍ସବରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଏବଂ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ବାଣୀ ବିହାରର ଧର୍ମପଦ ହଲ ବୁଲିଦେଖିବା ସହିତ କୁଳପତି ଏବଂ କୁଳସଚିବଙ୍କ ସ ଆଲୋଚନା କରିବା ସହ ଏକ୍ସଆଇଏମବି ଭଳି ଘଟଣା ଯେଭଳି ହୁଏ ପୁନରାବୃତ୍ତି ନହେବ ତା’ଉପରେ ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧିତ ଖବର