ଭିମ୍‌ସାର ପିଜି ଛାତ୍ରଙ୍କ ଆନ୍ଦୋଳନ ଜାରି, ପ୍ରଶାସନ ସହ ଆଲୋଚନା ବିଫଳ

ସମ୍ବଲପୁର: ଭିମ୍‌ସାରରେ କନିଷ୍ଠ ଡାକ୍ତରଙ୍କ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି। ମଙ୍ଗଳବାର ଭିମ୍‌ସାରର କିଛି ଆଉଟସୋର୍ସିଂ କର୍ମଚାରୀ କନିଷ୍ଠ ଡାକ୍ତରଙ୍କୁ ସମର୍ଥନ ଜଣାଇ ୬ ଦଫା ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେପଟେ, ଭିମସାର ନର୍ସିଂ ସଂଘ ମଧ୍ୟ ଆନ୍ଦୋଳନସ୍ଥଳକୁ ଆସି କନିଷ୍ଠ ଡାକ୍ତରଙ୍କୁ ନୈତିକ ସମର୍ଥନ ଜଣାଇଛି। ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମା, ଏଡିଏମ୍ ଅଜୟ ଜେନା, ଭିମସାର ଅଧ୍ୟକ୍ଷ ବିଏମ୍‌ ମିଶ୍ର, ଅଧୀକ୍ଷକ ଜୟଶ୍ରୀ ଦୋରା ତଥା କୋର କମିଟି ସଦସ୍ୟଙ୍କ ଉପସ୍ଥିତିରେ କନିଷ୍ଠ ଡାକ୍ତର ପ୍ରତିନିଧିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେହେତୁ କନିଷ୍ଠ ଡାକ୍ତର ଆଣିଥିବା ୧୦ ଦଫା ଅଭିଯୋଗର ପରୀକ୍ଷା କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨ ଜଣିଆ କମିଟି ନିଯୁକ୍ତ କରାଯାଇଛି ତେ‌ଣୁ ସେହି ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ କନିଷ୍ଠ ଡାକ୍ତରମାନଙ୍କୁ ଅନୁରୋଧ କରା ଯାଇଥିଲା। ତେବେ ଜିଲ୍ଲାପାଳଙ୍କ ଏହି ଅନୁରୋଧକୁ କନିଷ୍ଠ ଡାକ୍ତର ସଂଘ ଅଗ୍ରାହ୍ୟ କରି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲା। କଥାବାର୍ତ୍ତା ବିଫଳ ହୋଇଥିବାରୁ ଅସ୍ଥାୟୀଭାବେ ବାହାରୁ ଡାକ୍ତର ପଠାଇବାକୁ ସରକାରଙ୍କୁ ପତ୍ର ଲେଖା ଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ରୋଗୀ ସିଧାସଳଖ ଭାବେ ନିର୍ଭର କରୁଥିବା ଭିମ୍‌ସାରରେ ଚିକିତ୍ସା ସେବା ସ୍ବାଭାବିକ ରଖିବାକୁ ଅନ୍ୟ ବରିଷ୍ଠ ଡାକ୍ତର ଓ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର