ନୂଆଦିଲ୍ଲୀ: ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିଦ୍ଦେର୍ଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଭି.କେ.ତିୱାରୀ। ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକ ପଦରୁ ଆର.ଭି.ରାଜାକୁମାରଙ୍କୁ ହଟାଇଦିଆଯିବା ପରେ ଖଡଗପୁର ଆଇଆଇଟିର ନିର୍ଦ୍ଦେଶକ ଭି.କେ.ତିୱାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ନିଯୁକ୍ତି ଅନିୟମିତତା ତଥା ଛାତ୍ରମାନଙ୍କ ଛୋଟ ଛୋଟ ଦୋଷ ପାଇଁ ଅତ୍ୟଧିକ ଜରିମାନା ଲଗାଇବା ଭଳି ଅଭିଯୋଗରେ ପ୍ରଫେସର ଆର.ଭି.ରାଜାକୁମାରଙ୍କୁ ଆଇଆଇଟି ଭାରପ୍ରାପ୍ତ ନିଦ୍ଦେର୍ଶକ ପଦରୁ ହଟାଇ ଦିଆଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ପରିଷଦର ଅଧ୍ୟକ୍ଷ ଅଛନ୍ତି। ଅନ୍ୟପକ୍ଷେ, ଆଇଆଇଟି ପରିଷଦ ପକ୍ଷରୁ ପ୍ରଫେସର କୁମାରଙ୍କୁ ତତ୍କାଳ ପ୍ରଭାବରେ ବିଦା କରି ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ବିରେନ୍ଦ୍ର କୁମାର ତିୱାରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପତ୍ର ଜାରି କରାଯାଇଥିଲା। ଏହା ପରେ ଗତକାଲି ସନ୍ଧ୍ୟାରେ ପ୍ରଫେସର ତିୱାରୀ ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ ପ୍ରଫେସର କୁମାରଙ୍କ ବିରୋଧରେ ନିଯୁକ୍ତି ଅନିୟମତିତା ନେଇ ଗତ ବର୍ଷ କିଛି ଛାତ୍ର ସଂଗଠନମାନଙ୍କ ଦ୍ବାରା ତତ୍କାଳିନ ଉଚ୍ଚଶିକ୍ଷା ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ପ୍ରଫେସର କୁମାର ନିଜ ରାଜ୍ୟ (ଆନ୍ଧ୍ରପ୍ରଦେଶ)ର ପ୍ରାର୍ଥୀମାନଙ୍କୁ ଭୁବନେଶ୍ବର ଆଇଆଇଟିର ଫ୍ୟାକଲ୍ଟି ନିଯୁକ୍ତିରେ ଅହେତୁକ ଅନୁକମ୍ପା ଦେଖାଇଥବା ନେଇ ଗୁରୁତର ଅଭିଯୋଗ ରହିଥିଲା। ଏପରିକି ନିଯୁକ୍ତିର ୪୦ ପ୍ରତିଶତ ପ୍ରାର୍ଥୀ ଆନ୍ଧ୍ରବାସୀ ବୋଲି ସଙ୍ଗୀନ ଅଭିଯୋଗ ରହିଥିଲା। ଏଥି ସହିତ ଭୁବନେଶ୍ବର ଆଇଆଇଟିରେ ଅଧ୍ୟୟନରତ କିଛି ବିଦ୍ୟାର୍ଥୀମାନଙ୍କୁ ହଷ୍ଟେଲରେ ପାଟିତୁଣ୍ଡ କରିବା ଭଳି ଛୋଟ ଛୋଟ ଦୋଷ ପାଇଁ ଅତ୍ୟଧିକ ଜରିମାନ‌ା ଲଗାଇଥିବାର ମଧ୍ୟ ପ୍ରଫେସର କୁମାରଙ୍କ ବିରୋଧରେ ଅଭିଯୋଗ ରହିଥିଲା।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ଆଇଆଇଟିର ନିର୍ଦ୍ଦେଶକରୁପେ ପ୍ରଫେସର ଆର.ଭି.ରାଜାକୁମାରଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦, ଏପ୍ରିଲ ୨୬ରେ ଶେଷ ହୋଇଯାଇଥିଲା। ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ନୂତନ ନିଯୁକ୍ତି ବଦଳରେ ପ୍ରଫେସର ରାଜା କୁମାରଙ୍କ କାର୍ଯ୍ୟକାଳ ବାରମ୍ବାର ବୂ୍ଦ୍ଧି କରି ଚାଲିଥିଲେ। ଗତ ୨୧ମାସରୁ ସେ ଭ‌ାରପ୍ର‌ାପ୍ତ ନିର୍ଦ୍ଦେଶକ ଦ୍ବାୟିତ୍ବରେ ରହିଥିଲେ। ଚଳିତ ମାସ ୧୫ ତାରିଖରେ ଭୁବନେଶ୍ବର ଆଇଆଇଟିର ସ୍ଥାୟୀ ନିର୍ଦ୍ଦେଶକ ପଦ ପାଇଁ ସାକ୍ଷାତକାର ହୋଇ ସାରିଥିବା ବେଳେ କାହାକୁ ସ୍ଥାୟୀ ନିର୍ଦ୍ଦେଶକରୁପେ ନିଯୁକ୍ତି ମିଳିବ ତାହାର ଔପଚାରିକ ଘୋଷଣା ବାକି ରହିଛି।