କୁହାଯାଏ ଯେ ଶୁକଦେବ ମାତାଙ୍କ ଗର୍ଭରୁ ବାର ବର୍ଷ ପର୍ଯ୍ୟନ୍ତ ବାହାରକୁ ବାହାରି ନ ଥିଲେ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଆଶ୍ୱାସନା ଦେଲେ ଯେ ବାହାରକୁ ଆସିଲେ,ତାଙ୍କ ଉପରେ ମାୟାର ପ୍ରଭାବ ପଡ଼ିବ ନାହିଁ, ସେତେବେଳ ସେ ଗର୍ଭରୁ ବାହାରିଲେ।
ଜନ୍ମର ତୁରନ୍ତ ପରେ ଶୁକଦେବ ଭଗବାନ ଶ୍ରୀକୃଷ୍ଣ ଓ ନିଜ ପିତାମାତାଙ୍କୁ ପ୍ରଣାମ କରି ତପସ୍ୟା ପାଇଁ ଜଙ୍ଗଲକୁ ଗଲେ। ବ୍ୟାସ କିନ୍ତୁ ପୁତ୍ରର ଏଳି କାର୍ଯ୍ୟର ବିରୋଧ କରିଥିଲେ। ସେ ପୁତ୍ରଙ୍କୁ ତପଶ୍ଚାରଣରୁ ରୋକିବା ଲାଗି ପ୍ରଚେଷ୍ଟା କରିଥିଲେ ସତ,ମାତ୍ର ସେଥିରେ ସଫଳ ହୋଇନଥିଲେ। ଶୁକଦେବ କାହାରି କଥା ନ ଶୁଣି ଘୋର ବନସ୍ତରେ ତପଶ୍ଚାରଣ କରିଲେ।
ଶୁକଦେବଙ୍କର ଜୀବନ ବୈରାଗ୍ୟର ଏକ ଅନୁପମ ଉଦାହରଣ ଅଟେ। ସେ ଗାଆଁକୁ କେବଳ ଗାଈ ଦୁହିଁବା ସମୟରେ ଯାଆନ୍ତି ଓ ସେହି ସମୟ ପାଇଁ ସେଠାରେ ଅଟକି ପୁଣି ବନସ୍ତକୁ ଫେରି ଆସନ୍ତି। ବ୍ୟାସଦେବଙ୍କର ହାର୍ଦ୍ଦିକ ଇଛା ଥିଲା ଯେ ଶୁକଦେବ ଶ୍ରୀମଦ୍‌ଭଗବତ ଭଳି ପରମହଂସ ସଂହିତା ଅଧ୍ୟୟନ କରନ୍ତୁ,କିନ୍ତୁ ଏକଥା କହିବା ପାଇଁ ମଧ୍ୟ ତାଙ୍କୁ ଦେଖା ଦେଉ ନଥିଲେ ଶୁକ।

Advertisment

publive-image photo-.iskconnews.org

ବ୍ୟାସଦେବ ଶ୍ରୀମଦ୍‌ ଭାଗବତର ଶ୍ରୀକୃଷ୍ଣ ଲୀଳାର ଏକ ଶ୍ଳୋକ ପ୍ରସ୍ତୁତ କରି ତା’ର ଅଧା ଭାଗ ଶିଷ୍ୟମାନଙ୍କୁ ମୁଖସ୍ଥ କରାଇଲେ। ତାଙ୍କର ଶିଷ୍ୟମାନେ ସେହି ଶ୍ଳୋକକୁ ଆବୃତ୍ତି କରି କରି ଜଙ୍ଗଲକୁ ସମିଧା ସନ୍ଧାନରେ ଯାଉଥିଲେ। ଦିନେ ଶୁକଦେବଙ୍କ କାନରେ ଏହି ଶ୍ଳୋକ ପଡ଼ିଲା।
ଶ୍ରୀକୃଷ୍ଣ ଲୀଳାର ଅଦ୍ଭୁତ ଆକର୍ଷଣରେ ବାନ୍ଧି ହୋଇ ଶୁକଦେବ ଏହାପରେ ପିତା ଶ୍ରୀ ବ୍ୟାସଙ୍କ ନିକଟକୁ ଫେରି ଆସିଲେ। ତା’ ପରେ ସେ ଶ୍ରୀମଦ୍‌ ଭାଗବତ ମହାପୁରାଣର ଅଠର ହଜାର ଶ୍ଳୋକ ବିଧିବଦ୍ଧଭାବେ ଅଧ୍ୟୟନ କରିଲେ। ସେ ଏହି ପରମହଂସ ସଂହିତାର ସପ୍ତାହ ପାଠ ମହାରାଜ ପରୀକ୍ଷିତଙ୍କୁ ଶୁଣାଇଲେ,ଯାହାର ଦିବ୍ୟ ପ୍ରଭାବରେ ପରୀକ୍ଷିତ ମୃତ୍ୟୁକୁ ମଧ୍ୟ ଜୟ କରିଥିଲେ ଏବଂ ଭଗବାନ୍‌ଙ୍କ ଧାମକୁ ପ୍ରାପ୍ତ କରିଥିଲେ।
ଶ୍ରୀବ୍ୟାସଜୀଙ୍କର ଆଦେଶ କ୍ରମେ ଶୁକଦେବ ମହାରାଜ ପରମ ତତ୍ତ୍ୱଜ୍ଞାନୀ ଜନକଙ୍କ ପାଖକୁ ଯାଇଥିଲେ । ସେ ରାଜା ଜନକର କଠିନ ପରୀକ୍ଷା ନେଇ ତାଙ୍କ ବ୍ରହ୍ମଜ୍ଞାନ ପ୍ରାପ୍ତ କରାଇଥିଲେ। ହିନ୍ଦୁ ଶାସ୍ତ୍ରମାନଙ୍କର ମତ ଅନୁଯାୟୀ ମହାତ୍ମା ଶୁକଦେବ ଆଜି ମଧ୍ୟ ଅମର ଅଛନ୍ତି। ସେ ତାଙ୍କର ଦିବ୍ୟ ଉପଦେଶ ଦ୍ୱାରା ସେମାନଙ୍କୁ କୃତାର୍ଥ କରିଥା’ନ୍ତି ବୋଲି କୁହାଯାଏ।