ଭୁବନେଶ୍ବର: ଜଳ ଯୋଗାଣ ଏବଂ ସ୍ବେରେଜ ପାଇପ୍‌ ବିଛାଇବା ନାଁରେ ସମଗ୍ର ରାଜଧାନୀର ରାସ୍ତାକୁ ଖୋଳି ପକାଇଛି ୱାଟକୋ। କାର୍ଯ୍ୟ ସରିବା ପରେ ମଧ୍ୟ ଏହାର ମରାମତି କରାଯାଉ ନାହିଁ। କେବଳ ପ୍ୟାଚ ପକାଇବା ଭଳି କିଛି ସ୍ଥାନରେ ପିଚୁ ପକାଯାଇଛି। ତାହା ଏତେ ଦୁର୍ବଳ ଯେ ସାମାନ୍ୟ ଭାରୀଯାନ ଚଳାଚଳରେ ଫାଟି ଯାଉଛି। ଫଳରେ ଯାତ୍ରୀ କଷ୍ଟ ବଢ଼ିବା ସହିତ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାର ଚାପ ପୂର୍ତ୍ତ ବିଭାଗ ଉପରେ ପଡ଼ୁଛି। ଜନ ଅସନ୍ତୋଷ ସହିତ ରାଜସ୍ବ କ୍ଷତି ହେଉଛି। ଏପରିକି ଦଶହରାର ଠିକ୍‌ ପୂର୍ବରୁ ଖୋଳାଯାଇଥିବା ଗଣ୍ଡମୁଣ୍ଡା ରାସ୍ତାର ମରାମତି ପାଇଁ ୱାଟ୍‌କୋକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ତେଣୁ ପୂର୍ତ୍ତ ବିଭାଗ ଡିଭିଜନ-୩ ଅନ୍ତର୍ଗତ ୪ଟି ରାସ୍ତା ମରାମତି ପାଇଁ ୪୯ ଲକ୍ଷ ୩୭ ହଜାର ୪୧୦ ଟଙ୍କା ଦାଖଲ ପାଇଁ ପୂର୍ତ୍ତ ବିଭାଗ ଡିଭିଜନ-୩ର ଅଧୀକ୍ଷଣ ଯନ୍ତ୍ରୀ ୱାଟ୍‌କୋର ୟୁନିଟ-୪ ଅନ୍ତର୍ଗତ ଡିଭିଜନ-୨ର ସାଧାରଣ ପ୍ରବନ୍ଧକଙ୍କୁ ଚିଠି କରିଛନ୍ତି। ପାଖାପାଖି ଏକ ମାସ ହେଲା ଚିଠି କରାଯାଇଥିଲେ ମଧ୍ୟ ୱାଟ୍‌କୋ ଟଙ୍କା ଦାଖଲ କରିନାହିଁ।

Advertisment

୫୦ ଲକ୍ଷ ଦେବାକୁ ଚିଠି ଲେଖିଛି ପୂର୍ତ୍ତ
୪ ରାସ୍ତା ଅବସ୍ଥା ସାଂଘାତିକ
ଟଙ୍କା ନାହିଁ ତ ଅନୁମତି ନାହିଁ

ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଯୋଜନା ଅନ୍ତର୍ଗତରେ ପ୍ରତି ଘରକୁ ୨୪ ଘଣ୍ଟା ଜଳ ଯୋଗାଣ ପାଇଁ ରାଜଧାନୀରେ କାମ କରାଯାଇଛି। ଯାହା ସ୍ବାଗତଯୋଗ୍ୟ। କିନ୍ତୁ ପାଇପ୍‌ ବିଛାଇବା ପାଇଁ ସବୁ କଂକ୍ରିଟ ରାସ୍ତାଗୁଡ଼ିକୁ ବରବାଦ କରି ଦିଆଯାଇଛି। ସ୍ଥିତି ଏଭଳି ହୋଇଛି ଯେ ବିଭିନ୍ନ ସ୍ଥାନରେ ଗାତ ସୃଷ୍ଟି ହୋଇଛି। ଯାହାର ତୁରନ୍ତ ଏହାର ମରାମତି ଜରୁରୀ ହୋଇପଡ଼ିଛି। ଏଥିଯୋଗୁଁ ପୂର୍ତ୍ତ ବିଭାଗ ବାଧ୍ୟ ହୋଇ କଡ଼ା ଆଭିମୁଖ୍ୟ ପୋଷଣ କରୁଛି। ଯେଉଁ ରାସ୍ତାଗୁଡ଼ିକ ଲାଗି ଟଙ୍କା ଦାଖଲ କରିବାକୁ କୁହାଯାଇଛି ସେଥିରେ, ୟୁନିଟ-୮ସ୍ଥିତ ପାୱାର ହାଉସ ଛକରୁ ଡିଏଭି ପବ୍ଲିକ ସ୍କୁଲ ପାଇଁ ୧୪ ଲକ୍ଷ ୭୦ ହଜାର ୪୪୦, ଜଳେଶ୍ବର ମନ୍ଦିରରୁ ଗୋପବନ୍ଧୁ ଛକ ପାଇଁ ୧୯ ଲକ୍ଷ ୭୦ ହଜାର ୭୦, କ୍ବାର୍ଟର ନମ୍ବର-୪ଆର-୭ରୁ ମାଉସୀ ମା’ ମନ୍ଦିର ପାଇଁ ୧୦ ଲକ୍ଷ ୨୫ ହଜାର ୯୦୦ ଏବଂ ସିରିପୁର ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ୪ ଲକ୍ଷ ୭୧ ହଜାର ଟଙ୍କା ରହିଛି। ଯେତେ ପର୍ଯ୍ୟନ୍ତ ୱାଟ୍‌କୋ ନଷ୍ଟ କରିଥିବା ରାସ୍ତାର ଟଙ୍କା ଦାଖଲ କରିବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ତାକୁ ପୁନର୍ବାର ରାସ୍ତା ଖୋଳିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ସ୍ବେରେଜ ଓ ଜଳ ଯୋଗାଣ ପାଇଁ ପାଇପ ବିଛା କାର୍ଯ୍ୟ ପୂର୍ବରୁ ଜଏଣ୍ଟ କୋର୍ଡିନେସନ କମିଟିର ବୈଠକ ହୁଏ। ଏଥିରେ ୱାଟକୋ, ପୂର୍ତ୍ତ, ବିଏମ୍‌ସି ଓ ପୁଲିସ ରହିଥାଆନ୍ତି। ରାସ୍ତା ଖୋଳା କାର୍ଯ୍ୟ ସମାପ୍ତ ପରେ ଏହାର ପୂର୍ବ ସ୍ଥିତିକୁ ଫେରାଇ ନେବା ପାଇଁ ୱାଟ୍‌କୋ ପକ୍ଷରୁ କୁହାଯାଏ। ଠିକା ସଂସ୍ଥାଗୁଡ଼ିକ ଏହି ମର୍ମରେ ଟେଣ୍ଡର ନେଇ ଥାଆନ୍ତି। ମାତ୍ର ଅଧିକାଂଶ ସ୍ଥାନରେ ଏହାର ଉଲ୍ଲଂଘନ କରାଯାଉଛି। ୱାଟ୍‌କୋ ରାସ୍ତା ମରାମତି କରୁନାହିଁ। ଏଣିକି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି ପାଇଁ ୱାଟ୍‌କୋକୁ କହୁନାହିଁ। ରାସ୍ତା ଖୋଳା ବାବଦରେ ହେଉଥିବା କ୍ଷତିର ଆକଳନ କରାଯାଇ ଆବଶ୍ୟକ ଟଙ୍କା ଦାଖଲ ପାଇଁ କୁହାଯାଇଛି। ପୂର୍ତ୍ତ ବିଭାଗର ଏହି ଆଭିମୁଖ୍ୟ ୱାଟ୍‌କୋର ଆଭିମୁଖ୍ୟକୁ କେତେ ବଦଳାଇବ ଦେଖିବାକୁ ବାକି ରହିଲା।