ଯାଜପୁର/ରସୁଲପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ପ୍ରଥମାଖଣ୍ଡ ପଞ୍ଚାୟତର ଶତାଧିକ ବୁଣାକାର ଆଜି ପଦଯାତ୍ରାରେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି। କରୋନା ସମୟରେ ବୁଣାକର ଅନେକ କ୍ଷତି ସହିଥିବା ବେଳେ ଏବେ ପରିବାର ଚଳାଇବାକୁ ରୋଜଗାର ନାହିଁ। ଏହି ଗ୍ରାମରେ ପ୍ରାୟ ୨୦୦୦ ହଜାରରୁ ଅଧିକ ବୁଣାକାର ରହିଥିବା ବେଳେ ସେମାନଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ ରହିଛି। ସେମାନଙ୍କୁ ବାତ୍ୟା ସହାୟତା, ତନ୍ତଶାଳା, ବୁଣାକାର ଭତ୍ତା, ଜିନିଷ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବା ବେଳେ ଏବେ ୮ କୋଟି ଟଙ୍କାର ଲୁଗା ତିଆରି ହୋଇ ବିକ୍ରି ହୋଇ ପାରୁନଥିବାରୁ ପଡ଼ିରହିଛି।
ଅନ୍ୟ ପଟେ କଞ୍ଚାମାଲ ସମସ୍ୟା ରହିଥିବା ବେଳେ ପୂର୍ବରୁ ଏନେଇ ବୁଣାକାରମାନେ ଯାଜପୁର ଜିଲ୍ଲପାଳ ,ବୟନ ଶିଳ୍ପ ସଚିବ, ନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଜରିଆରେ ଅଭିଯୋଗ କରି ଆସୁଛନ୍ତି। ଏଠିକାର ବୁଣାକାର ଟସର ବସ୍ତ୍ରକୁ ଗୁରୁତ୍ବ ଦେଇ ଲୁଗା,ଗାମୁଛା, ଶାଢ଼ୀ, ଧୋତି ଆଦି ବହୁ ବର୍ଷ ଧରି ତିଆରି କରି ଆସୁଛନ୍ତି। ଏହି ଅଞ୍ଚଳକୁ ଓଡିଶାର ବୁଣାକାର ପୁଞ୍ଜ କୁହାଯାଉଥିବା ବେଳେ କିନ୍ତୁ ବୁଣାକାର ଆଜି ଅବହେଳିତ। ତେଣୁ ସେମାନଙ୍କ ବ୍ୟବସାୟକୁ ଗୁରୁତ୍ବ ଦେଇ ସହଯୋଗ କରିବାକୁ ଆଜି ବୁଣାକାରମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଜ ଗ୍ରାମରୁ ଏକ ଶୋଭାଯାତ୍ରାରେ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।