ପାଇକସାହି (ଅନୁଗୁଳ): ରାଜ୍ୟ କୃଷି ବିଭାଗର ତଥ୍ୟ କହୁଛି, ଗଲା ୧୦ବର୍ଷରେ ଓଡ଼ିଶାରେ ୧୩୫.୬୯ ପ୍ରତିଶତ କପା ଉତ୍ପାଦନ ବଢ଼ିଛି। ଯାହା ଧାନ, ମାଣ୍ଡିଆ, ଡାଲି ଜାତୀୟ କିମ୍ବା ଯେକୌଣସି ପରିବାଠାରୁ ମଧ୍ୟ ଅଧିକ। କିନ୍ତୁ ଅନୁଗୁଳ ଜିଲ୍ଲାରେ କପାଚାଷର ପେଣ୍ଠସ୍ଥଳୀ ଭାବେ ଜଣାଶୁଣା ଆଠମଲ୍ଲିକ ବ୍ଲକ୍ରେ ଗଲା କିଛିବର୍ଷ ଭିତରେ କପା ଚାଷ ପ୍ରାୟ ଅଧା କମି ଯାଇଛି। ପୂର୍ବରୁ ପ୍ରାୟ ୬୦ ହେକ୍ଟର୍ ଜମିରେ କପାଚାଷ ହେଉଥିବା ବେଳେ ଏବେ ପ୍ରାୟ ୪୦ ହେକ୍ଟର୍ ଜମିରେ କପା ଚାଷ କରୁଛନ୍ତି ଚାଷୀ। ସରକାରୀ ପ୍ରୋତ୍ସାହନର ଅଭାବ ଓ ଅନ୍ୟାନ୍ୟ କାରଣରୁ ଚାଷୀ ଏହି ଲାଭଜନକ ଧଳାସୁନା ଚାଷରୁ ମୁହଁ ଫେରାଉଥିବା ଅଭିଯୋଗ ହୋଇଛି।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ର ପାଇକସାହି, ଟାପଢୋଲ ଓ କନ୍ତପଡ଼ା ପଞ୍ଚାୟତରେ ମୁଖ୍ୟତଃ କପା ଚାଷ ବହୁଳ ଭାବେ ହୋଇଥାଏ। କିନ୍ତୁ ଗତ ୧୦ବର୍ଷ ଭିତରେ ଏଠାରେ ଜଳସେଚନର ବିଶେଷ ସୁବିଧା କରାଯାଇ ନାହିଁ। କପାଚାଷ ପାଇଁ ଜଳସେଚନର ଆବଶ୍ୟକତା ରହୁଥିବାରୁ ଚାଷୀ କ୍ଷତି ସହିଲେ। ଖାଲି ସେତିକ ନୁହେଁ, ଉତ୍ସାହଜନକ ଭାବେ ବର୍ଷା ନ ହେବା କାରଣରୁ ନାଳ, ପୋଖରୀ ଉପରେ ଚାଷୀ ଭରସା କରିଥିଲେ। କିନ୍ତୁ ତାହା ଆବଶ୍ୟକ ମୁତାବକ ପାଣି ଯୋଗାଇ ପାରିଲାନାହିଁ। କମ୍ ବର୍ଷା ପାଇଁ ଉତ୍ପାଦନ ମଧ୍ୟ କମୁଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ୁଛି। ଅଧିକାଂଶ କପାଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଆବଶ୍ୟକ ପୁଞ୍ଜି ନିବେଶ କରି ଉତ୍ପାଦନରେ ବୃଦ୍ଧି ଘଟାଇବା ସମ୍ଭବପର ନୁହେଁ। ଆଗରୁ ପ୍ରାୟ ସବୁ ଗାଁରେ କିଛି କିଛି ପରିମାଣରେ କପା ଚାଷ ହେଉଥିଲା। କିନ୍ତୁ ଗତ ୧୦ବର୍ଷ ଭିତରେ କପାଚାଷ ଅଧା କମି ଯାଇଥିବା ଚାଷୀ କହିଛନ୍ତି। ସରକାରୀ ପ୍ରୋତ୍ସାହନ ଭାବେ ନା ଭଲ ବିହନ ମିଳି ପାରୁଛି, ନା ଉତ୍ପାଦିତ କପାକୁ ବିକ୍ରି ପାଇଁ ବ୍ୟବସ୍ଥା ରହିଛି। ଯାହାଦ୍ବାରା ଚାଷୀ ଶୋଷଣର ଶିକାର ହେଉଛି। ପାଇକସାହି ଗାଁର କପାଚାଷୀ ହାଡ଼ିବନ୍ଧୁ ନାୟକ କୁହନ୍ତି, କୃଷି ବିଭାଗ ତରଫରୁ ସେମାନଙ୍କୁ ବିହନ ମିଳୁନାହିଁ କି ସେମାନଙ୍କ ମାଟି ପରୀକ୍ଷା ବି କରାଯାଉନି। ଜଳସେଚନ କି ଭୂତଳ ନଳକୂଅର ସୁବିଧା ନ ଥିବାବେଳେ ପୋଖରୀ ଓ ଅନ୍ୟ ଜଳ ଉତ୍ସ ଶୁଖିଗଲା। ଜମି ଶୁଖିଲା ପଡ଼ିଲା ପଛେ କେନାଲରେ ପାଣି ଆସିଲାନି। ତେଣୁ ଏଥର ଅମଳ ଭଲ ହୋଇନାହିଁ। ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁଁ ପୂର୍ବରୁ ୩ ଏକରରେ କପା ଚାଷ କରୁଥିବା ହାଡ଼ିବନ୍ଧୁ ଏଥର ୨ଏକରରେ ଚାଷ କରିଥିଲେ। କିନ୍ତୁ ଆରଥରକୁ ଆଉ ଚାଷ କରିବେ କି ନାହିଁ ଭାବି ପାରୁନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି।
ଏସିଆର ଉନ୍ନତମାନର କପା ମଧ୍ୟରେ ଓଡ଼ିଶାର କପାକୁ ସାମିଲ କରାଯାଏ। ଗତ ୨୦୧୪ ମସିହାରେ କପା ନିଗମ ସଂଗ୍ରହ କରିଥିବା ଗାଣ୍ଠିରୁ ୩୫% ଓଡ଼ିଶାର ଥିଲା। ବଲାଙ୍ଗୀର ଓ କଳାହାଣ୍ଡି ମଣ୍ଡିକୁ ସମବାୟ ବିଭାଗ ପକ୍ଷରୁ ଜାତୀୟ ମଣ୍ଡିର ମାନ୍ୟତା ମିଳିଛି। କିନ୍ତୁ ଆଠମଲ୍ଲିକ ବ୍ଲକ୍ରେ ବିଭାଗ ପକ୍ଷରୁ ଗୋଟିଏ ବି କପା ମଣ୍ଡି ନାହିଁ। ଫଳରେ ବଲାଙ୍ଗୀର ଓ ଭବାନୀପାଟଣା ଅଞ୍ଚଳରୁ କଣ୍ଟ୍ରାକ୍ଟର୍ ଆସି ଶାଗମାଛ ଦରରେ ଚାଷୀ ପାଖରୁ କପା କିଣି ନେଉଛି। କପାର ଏମ୍ଏସ୍ପି କେତେ ବି ଚାଷୀ ଜାଣି ପାରୁନି। ଗତବର୍ଷ କିଲୋ ପିଛା ଦର ୭୫ଟଙ୍କା ଥିବାବେଳେ ଏଥର କେତେ ଟଙ୍କାରେ ସରକାର କିଣୁଛନ୍ତି ଚାଷୀ ଜାଣି ନଥିବା କହିଛନ୍ତି। ତେବେ ଦଲାଲ୍ କପାଦର କମ୍ ଥିବା କହି କିଲୋ ପିଛା ୫୫ରୁ ୬୦ ଟଙ୍କା ଭିତରେ କିଣୁଥିବା ସ୍ଥାନୀୟ ଅଞ୍ଚଳର ଚାଷୀ କହିଛନ୍ତି। କୃଷି କିମ୍ବା ସମବାୟ ବିଭାଗ ପକ୍ଷରୁ ଏଥିପ୍ରତି ନଜର ଦିଆଯାଉ ନଥିବାରୁ ଦଲାଲ୍ ସକ୍ରିୟ ହେଉଛନ୍ତି। ଏ ସମ୍ପର୍କରେ କୃଷି ଜିଲ୍ଲା ଅଧିକାରୀ ବିଷ୍ଣୁପ୍ରସାଦ କରଙ୍କୁ ପଚାରିବାରେ, ସରକାରୀ ମଣ୍ଡି ଖୋଲୁ ନଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବାକୁ ଅଭିଯୋଗକୁ ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ggdjgjgjgjdgj.jpg)