ରାଇରଙ୍ଗପୁର: ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। ସ୍କୁଟି ଆରୋହୀ ଦଂପତିଙ୍କୁ ପଛପଟୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଗୁରୁତର ସ୍ବାମୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ହେଲେ ନିରୋଜିନି ଗିରି(୫୮) ଓ ଗୁରୁତର ବ୍ୟକ୍ତିଙ୍କ ନାମ ହାଡିବନ୍ଧୁ ଗିରି।
ସୂଚନା ଅନୁସାରେ ବହଳଦାର ହାଡିବନ୍ଧୁ ଗିରି ତାଙ୍କ ସ୍ତ୍ରୀ ନିରୋଜିନି ଗିରିଙ୍କୁ ନେଇ ଏକ ସ୍କୁଟି (ଓଡ଼ି ୧୧ଏ -୩୯୫୫)ରେ ରାଇରଙ୍ଗପୁର ନିକଟସ୍ଥ ମହୁଲଡିହାକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ସ୍କୁଟି ଯୋଗେ ଆସୁଥିଲେ। ଦାଣ୍ଡବୋଷ ଗ୍ରାମ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ତାଙ୍କ ସ୍କୁଟିକୁ ପଛପଟୁ ଏକ ଟ୍ରକ୍ (ଏମଏଚ-୧୨- ଭିଏଫ୍-୩୩୨୧) ଧକ୍କା ଦେଇଥିଲା। ଫଳରେ ହାଡିବନ୍ଧୁ ଛିଟିକି ରାସ୍ତାକଡ଼କୁ ପଡ଼ିଯାଇଥିବା ବେଳେ ତାଙ୍କ ସ୍ତ୍ରୀ ନିରୋଜିନି ଟ୍ରକ୍ ଚକ ତଳେ ପଡ଼ି ଯାଇଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା।
ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ତଦନ୍ତ ଆରମ୍ଭ କରିବା ସହିତ ଟ୍ରକକୁ ଜବତ କରିଛି। ସେପଟେ ହାଡିବନ୍ଧୁଙ୍କ ଚିକିତ୍ସା ଜାରି ରହିଥିବା ବେଳେ ନିରୋଜିନିକୁ ଡାକ୍ତର ମୃତ ଘୋଷଣା କରିବାରୁ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ କେଶ୍ ନଂ ୨୨୪/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ଗତ ସପ୍ତାହକ ମଧ୍ୟରେ ଉକ୍ତ ଜାତୀୟ ରାଜପଥର ବାମନଘାଟି ଉପଖଣ୍ଡର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ଟ୍ରକ୍ ଦୁର୍ଘଟଣା ଘଟାଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ତେବେ ଟ୍ରକ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ବର୍ତ୍ତମାନ ୨୨୦ ନଂ ଜାତୀୟ ରାଜପଥରେ ଯାତାୟାତ ପାଇଁ ଭୟ କରୁଛନ୍ତି ଜନ ସାଧାରଣ।