ଡିସେମ୍ବର ୨୧ରେ ପ୍ରଥମ ଟିକା ଦେବାକୁ ଲକ୍ଷ୍ୟ ରଖିଛି ମଡର୍ଣ୍ଣା, ଜରୁରୀ ବ୍ୟବହାର ପାଇଁ ଆମେରିକା ଓ ୟୁରୋପଠୁ ମାଗିବ ଅନୁମତି

ନୂଆଦିଲ୍ଲୀ: ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ପ୍ରଶାସନ ଓ ୟୁରୋପଠୁ ଆଜି ମାଗିବ ଅନୁମତି । ଏହି ଟିକା ୯୪.୧ ପ୍ରତିଶତ ଫଳପ୍ରଦ ଥିବା କମ୍ପାନି ଦାବି କରିବା ପରେ ଏବେ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିବାକୁ ଯାଉଛି । ଗୁରୁତର ସ୍ଥିତିରେ ଏହି ଟିକା ଶହେ ପ୍ରତିଶତ ସଫଳ ବୋଲି କହିଛି କମ୍ପାନି । ଡିସେମ୍ବର ୨୧ରେ ଏହାର ପ୍ରଥମ ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି । ୩୦ ହଜାର ଲୋକଙ୍କ ଠାରେ ମଡର୍ଣ୍ଣା ଟିକାର ପରୀକ୍ଷଣ ହୋଇଥିଲା, ଏହା ପରେ ଟିକା ୯୪.୧ ପ୍ରତିଶତ ଫଳପ୍ରଦ ହୋଇଛି।

ସେପଟେ  କୋଭିଡ-୧୯ ଟିକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଦଳଗୁଡ଼ିକ ହେଲେ ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍ ଲାବୋରୋଟୋରିଜ୍ ।
କୋଭିଡ-୧୯ର ମୁକାବିଲା କରିବା ଲାଗି ପ୍ରତିଷେଧ ଟିକା ବିକାଶ ସକାଶେ କାର୍ଯ୍ୟ କରିବା ନିମନ୍ତେ ଏହି କମ୍ପାନିଗୁଡ଼ିକର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଟିକା ବିକାଶ ପାଇଁ ବିଭିନ୍ନ ମଞ୍ଚରେ  ରହିଥିବା ସମ୍ଭାବନା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ନିୟାମକ ପ୍ରକ୍ରିୟା ଏବଂ ତତସଂକ୍ରାନ୍ତ ପ୍ରସଙ୍ଗରେ ପରାମର୍ଶ ଓ ବିଚାର ବ୍ୟକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଏହି କମ୍ପାନିଗୁଡ଼ିକୁ ଆହ୍ୱାନ କରିଥିଲେ । ଫଳପ୍ରଦତା ଆଦି ସମେତ ଟିକା ଓ ତତସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସହଜ ଭାଷାରେ ସୂଚନା ଦେବା ଲାଗି ଅତିରିକ୍ତ ପ୍ରୟାସ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଟିକା ବିତରଣ ସହିତ ଜଡ଼ିତ ଲଜିଷ୍ଟିକ୍ସ, ପରିବହନ, କୋଲ୍ଡ ଚେନ ଆଦି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା । ଯେଉଁସବୁ ଟିକା ବିଷୟରେ ଆଲୋଚନା କରାଯାଇଥିଲା ସେସବୁ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି ଏବଂ ବିସ୍ତୃତ ତଥ୍ୟ ଓ ପରିଣାମ ଆସନ୍ତାବର୍ଷ ପ୍ରାରମ୍ଭ ପରଠାରୁ ଆସିବା ନେଇ ଆଶା କରାଯାଉଛି ।

ସମ୍ବନ୍ଧିତ ଖବର