ପ୍ରେମିକ ସାଜିଥିଲା ସଇତାନ; ବିଶ୍ବାସରେ ଦେଇଥିଲା ବିଷ, ୪ ସହଯୋଗୀଙ୍କ ସହ ମିଶି କରିଥିଲା ଗଣଦୁଷ୍କର୍ମ

ବାରିପଦା: ପ୍ରେମିକ ସାଜିଲା ସୈତାନ। ବିଶ୍ବାସରେ ଦେଲା ବିଷ। ୪ ସହଯୋଗୀଙ୍କ ସହ ମିଶି ନାବାଳିକା ପ୍ରେମିକାଙ୍କ ସହ କରିଥିଲା ଗଣଦୁଷ୍କର୍ମ। ଲଗାତର ୫ ଦିନ ଯାଏ ଏମିତି ବର୍ବର କାଣ୍ଡ କରିଥିଲେ ୫ ଅଭିଯୁକ୍ତ। ପଞ୍ଚମ ଦିନରେ ନାବାଳିକାଙ୍କ ସ୍ଥିତି ସଙ୍କଟାପନ୍ନ ହୋଇ ପଡ଼ିବାରୁ ତାଙ୍କୁ ସଜ୍ଞାହୀନ ଅବସ୍ଥାରେ ଛାଡ଼ି ପଳାଇଥିଲେ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଚାନ୍ଦୁଆ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ମୃତ୍ୟୁ ଘଟଣାରୁ ପରଦା ଉଠାଇ ଏହି ଚାଂଚଲ୍ୟକର ସତ ସାମ୍ନାକୁ ଆଣିଛି ଜିଲ୍ଲା ପୁଲିସ। ପୂର୍ବରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରଙ୍ଗାମାଟିଆ ଗ୍ରାମର ମୁନୁ ଚାପିଆରଙ୍କ ପୁଅ ବାହାଦୂର ଚାପିଆର(୨୦)ଙ୍କୁ ଗିରଫ କରାଯାଇଥିବା ବେଳେ ଦୁଷ୍କର୍ମରେ ସାମିଲ ଅନ୍ୟ ୪ ଅଭିଯୁକ୍ତ ବି ପୁଲିସ ହାତରେ ଧରା ପଡ଼ିଛନ୍ତି। ବାହଦୂର ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ପୁଲିସ ସୂଚନା ଦେଇଛି।

କେମିତି ନିଖୋଜ ହୋଇଥିଲେ ନାବାଳିକା…
ପୁଲିସର ସୂଚନା ଅନୁଯାୟୀ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଇଥିଲା ବାହାଦୂର। ଗତ ଏପ୍ରିଲ ୨୫ ତାରିଖରେ ନାବାଳିକାଙ୍କ ପରିବାର ଲୋକ ଏହା ଜାଣିବା ପରେ ଝିଅକୁ ଏ ନେଇ ଆକଟ କରିଥିଲେ। ତେବେ ନାବାଳିକା ଜଣକ ପ୍ରେମିକ ବାହାଦୂରକୁ ଫୋନ୍‌ରେ ସବୁ କଥା ଜଣାଇଥିଲେ। ଉଭୟ ଘରୁ ଚାଲି ଯିବାକୁ ଯୋଜନା କରିଥିଲା ବାହାଦୂର। ଯୋଜନା ଅନୁଯାୟୀ ସେଦିନ ରାତିରେ ସେ ବାଇକ୍‌ ଧରି ନାବାଳିକାଙ୍କ ଘର ପାଖରେ ପହଞ୍ଚିଥିଲା। ତା’ କଥାରେ ଭରସା କରି ନାବାଳିକା ଜଣକ ଘରୁ ଗୋଡ଼ କାଢ଼ିଥିଲେ। ତାଙ୍କୁ ବାଇକ୍‌ରେ ବସାଇ ବାଘୁଆଶୋଳ ପାଣି ଟାଙ୍କି ନିକଟକୁ ନେଇ ଆସିଥିଲେ ବାହାଦୂର।

ଧୋକା ଦେଲା ପ୍ରେମିକ…
ତେବେ ସେଠାରେ କୌଶଳ କ୍ରମେ ନିଶା ଔଷଧ ଖୁଆଇ ନାବାଳିକାଙ୍କୁ ପାଣିଟାଙ୍କି ଘର ଭିତରେ ତାଲା ପକାଇ ନିଜର ୪ ସହଯୋଗୀଙ୍କୁ ଡକାଇଥିଲା ବାହାଦୂର। ସମସ୍ତେ ପହଞ୍ଚିବା ପରେ ନାବାଳିକାଙ୍କ ସହ କରିଥିଲେ ଗଣଦୁଷ୍କର୍ମ। ଲଗାତର ୪ ଦିନ ଧରି ବିଭିନ୍ନ ସମୟରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। କେବଳ ଗୋଟିଏ ଦିନ ପୀଡ଼ିତାଙ୍କୁ କିଛି କଦଳୀ, ବିସ୍କୁଟ ଓ ପାଣି ପିଇବାକୁ ଦେଇଥିଲେ। ଏମିତିରେ ୫ମ ଦିନ ଅର୍ଥାତ୍ ଏପ୍ରିଲ ୩୦ରେ ପୀଡ଼ିତାଙ୍କ ସ୍ଥିତି ଖରାପ ହେବାରୁ ତାଙ୍କୁ ସେହି ପାଣିଟାଙ୍କି ଘରେ ଛାଡ଼ି ପଳାଇଥିଲେ। ତେବେ କିଛି ସ୍ଥାନୀୟ ଲୋକ ଉକ୍ତ ଘର ଭିତରୁ ଜଣେ ଝିଅର କାନ୍ଦ ଶୁଣି ଘରର ତାଲା ଭାଙ୍ଗି ଦେଖିବା ବେଳକୁ ନାବାଳିକା ଜଣକ ମୁମୂର୍ଷୁ ଅବସ୍ଥାରେ ଉଲଗ୍ନ ହୋଇ ପଡ଼ିଥିଲେ। ପୁଲିସ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲା। ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମେ’ ୩ ତାରିଖରେ ଆଖି ବୁଜିଥିଲେ ପୀଡ଼ିତା। ସେହିଦିନ ହିଁ ଅଭିଯୁକ୍ତ ବାହାଦୂରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ।

ପୁଲିସର ତଦନ୍ତକୁ ନେଇ ଉଠିଥିଲା ପ୍ରଶ୍ନ…
ତେ‌ବେ ଏହି ଘଟଣାରେ ପୁଲିସର ଭୂମିକାକୁ ନେଇ ଉଠିଥିଲା ପ୍ରଶ୍ନବାଚୀ। ନାବାଳିକା ନିଖୋଜ ହେବା ଦିନରୁ ପରିବାର ଲୋକେ ଏ ନେଇ ଚାନ୍ଦୁଆ ପୁଲିସକୁ ଅବଗତ କରାଇଥିଲେ ବି ଘଟଣାକୁ ଆଦୌ ଗୁରୁତ୍ବ ଦେଇନଥିଲା ପୁଲିସ। ହେଲେ ନାବାଳିକା ଉଦ୍ଧାର ହେବା ପରେ ଦୋଷ ଢାଙ୍କିବାକୁ ତରବରିଆ ଭାବେ ଅଭିଯକ୍ତକୁ ଗିରଫ କରାଯାଇଥିଲା। ପୁଲିସର ତଦନ୍ତକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ସହ ଏହି ବର୍ବର କାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥାଇପାରେ ବୋଲି ‘ସମ୍ବାଦ’ରେ ତଥ୍ୟ ଭିତ୍ତିକି ରିପୋର୍ଟ ପ୍ରକାଶ ପାଇଥିଲା।

ତଦନ୍ତର ମଙ୍ଗ ସମ୍ଭାଳିଲେ ଏସ୍‌ପି। ସତ ଓଗାଳିଲା ବାହାଦୂର…
ସ୍ଥାନୀୟ ପୁଲିସର ନିଷ୍କ୍ରିୟତା ଦେଖି ଖୋଦ୍‌ ଏସ୍‌ପି ସ୍ମିତ. ପି. ପରମାର୍‌ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଘଟାଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ଡିଏସ୍‌ପି ସବିତା ମାଝି, ଡିଏସ୍‌ପି ପ୍ରଭାସ କୁମାର ପାଲ, ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଓ ଚାନ୍ଦୁଆ ଥାନା ଆଇଆଇସି ବନାନୀ ବେହେରା ଏହି ଟିମ୍‌ରେ ସାମିଲ ହୋଇଥିଲେ। ଅଭିଯୁକ୍ତ ବାହାଦୂରକୁ ୩ ଦିନିଆ ରିମାଣ୍ତରେ ଆଣି ପଚରାଉଚରା କରାଯାଇଥିଲା। ପୁଲିସର ଜେରା ବେଳେ ସବୁ ସତ ଓଗାଳି ଦେଇଥିଲା ବାହାଦୂର।

୧୭, ୧୬ ଓ ଦୁଇ ଜଣ ୧୫ ବର୍ଷର ନାବାଳକ ଏଥିରେ ସମ୍ପୃକ୍ତି ରହିଥିବା ସୂଚନା ପାଇ ସେମାନଙ୍କୁ ଉଠାଇ ଆଣିଥିଲା ପୁଲିସ। ସମସ୍ତ ଅଭିଯୁକ୍ତ ପୁଲିସ ଆଗରେ ଅପରାଧ ସ୍ବୀକାର କରିଥିଲେ। ଏହାପରେ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାଣି ଟାଙ୍କି ପାଖରେ ପଡ଼ିଥିବା ତାଲା, ଚାବି, ନିଶା ଔଷଧ, ନାବାଳିକାଙ୍କ ବସ୍ତ୍ର ଏପରି ମୋଟ ୧୯ଟି ପ୍ରମାଣ ସଂଗ୍ରହ କରିଥିଲା। ଏଥିସହ ନିଶା ଔଷଧ ବିକ୍ରି କରିଥିବା ଔଷଧ ଦୋକାନୀର ବୟାନ ବି ସଂଗ୍ରହ କରିଥିଲା ପୁଲିସ।

ଚାନ୍ଦୁଆ ଥାନାରେ ଆଇପିସି ଧାରା ୩୬୩, ୩୪୨, ୩୭୬(୨)(ଏନ), ୩୭୬(୩), ୩୭୬ ଡିଏ, ୩୦୨. ୩୪ ଏବଂ ୬ ପୋକ୍ସୋ ଆକ୍ଟରେ କେସ୍‌ ନମ୍ବର ୩୯/୨୦୨୧ରେ ମାମଲା ରୁଜୁ କରାଯାଇ ସମସ୍ତ ସାକ୍ଷ୍ୟ ପ୍ରମାଣ ସହ ଅଭିଯୁକ୍ତମାନଙ୍କୁ ବାରିପଦା ପୋକ୍ସୋ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ୪ ନାବାଳକଙ୍କୁ ଅନୁଗୁଳସ୍ଥିତ ବାଳ ସ୍ବଧାର ଗୃହ ଓ ମୁଖ୍ୟ ଅଭିଯୁକ୍ତ ବାହାଦୂର ଚାପିଆରକୁ ବାରିପଦା ମଣ୍ତଳ କାରାଗାରକୁ ପଠାଇ ଦିଆଯାଇଛି ବୋଲି ଏସ୍‌ପି ସ୍ମିଥ ପି. ପରମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର