ପଞ୍ଚାୟତସ୍ତରରେ ୫୫% ମହିଳା ନିର୍ବାଚିତ ହେବା ମହିଳା ସଶକ୍ତିକରଣର ନିଦର୍ଶନ: ମୁଖ୍ୟମନ୍ତ୍ରୀ

ଦୁଇଦିନିଆ ମହିଳା ଜାତୀୟ ସଂସଦ କର୍ମଶାଳା ଉଦ୍‌ଘାଟିତ
୫ବର୍ଷରେ ୫୦ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଘଟୁଥିବା ପରିବର୍ତ୍ତନର ପ୍ରତୀକ ହେଉଛି ମିସନ ଶକ୍ତି। ଏହା ଜରିଆରେ ରାଜ୍ୟର ପ୍ରତ୍ୟେକ ବର୍ଗର ୭୦ଲକ୍ଷ ମହିଳା ‌ଏଥିରେ ଯୋଡ଼ି ହୋଇପାରିଛନ୍ତି। ନୂଆ ଅନ୍ତର୍ଭୁକ୍ତୀକରଣ ଓଡ଼ିଶାରେ ମହିଳାମାନେ ନିର୍ଣ୍ଣୟକାରୀ ଭୂମିକା ଗ୍ରହଣ ଦିଗରେ ଏହା ସହାୟକ ହୋଇପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କିଟ୍‌ ଅଡିଟୋରିୟମ୍‌ରେ ଆୟୋଜିତ ହେଉଥିବା ଦୁଇଦିନିଆ ମହିଳା ଜାତୀୟ ସଂସଦ କର୍ମଶାଳାକୁ ଆଭାସୀ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କ ସଶକ୍ତିକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ଦେଶ ଅଗ୍ରଗତି କରିପାରି ନାହିଁ। ଝିଅ ଓ ମହିଳାମାନଙ୍କୁ ଆର୍ଥିକ ସ୍ବାଧୀନତା ଓ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶା ପଞ୍ଚାୟତସ୍ତରରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସିଟ୍‌ ସଂରକ୍ଷିତ ରଖିଥିବା ବେଳେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ୫୫ ପ୍ରତିଶତ ମହିଳା ନିର୍ବାଚିତ ହୋଇଛନ୍ତି। ୩୦ଟି ଜିଲ୍ଲା ପରିଷଦ ସଭାପତିଙ୍କ ମଧ୍ୟରୁ ୨୧ଜଣ ହେଉଛନ୍ତି ମହିଳା। ଦେଶର ପ୍ରଥମ ରାଜନୈତିକ ଦଳଭାବେ ବିଜୁ ଜନତା ଦଳ ୨୦୧୯ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ରଖିଥିଲା। ରାଜ୍ୟ ସରକାରଙ୍କ ‘ମମତା’ ଯୋଜନା ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇରେ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ‘ସୁଦକ୍ଷା’ଯୋଜନାରେ ବାଳିକାମାନଙ୍କୁ ବୈଷୟିକ ଶିକ୍ଷା ମିଳିପାରୁଛି। ରାଜ୍ୟରେ ଥିବା ହଷ୍ଟେଲଗୁଡ଼ିକରେ ୩ଲକ୍ଷ ମହିଳା ରହି ପାଠ ପଢ଼ୁଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ରାଜ୍ୟ ମହିଳା କମିସନ ମହିଳାଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଛି। ଆସନ୍ତା ୨ଦିନ ପାଇଁ ବିଶେଷଜ୍ଞମାନେ ମହିଳାମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବେ। ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଯଦି କୌଣସି ପ୍ରକାର ପରାମର୍ଶ ଦିଆଯାଏ ତାହାଲେ ରାଜ୍ୟ ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ରାଜ୍ୟର ମହିଳାମାନେ ସଶକ୍ତ ଓ ସ୍ବାଧୀନ ହୋଇପାରିଛନ୍ତି। ଆସନ୍ତା ୫ବର୍ଷରେ ମହିଳାମାନଙ୍କୁ ୫୦ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ଓ ପ୍ରତି ଗାଁରେ ମିସନ ଶକ୍ତି ଗୃହ ନିର୍ମାଣ ଲକ୍ଷ୍ୟ ରହିଛି। ମହିଳାମାନଙ୍କୁ ସଂପୂର୍ଣ୍ଣ ଆର୍ଥିକ ସ୍ବାଧୀନତା ଦେଇ ଦେଶର ‌ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ‌ବୋଲି ଶ୍ରୀମତୀ ସାହୁ କହିଥିଲେ। ସମ୍ମାନିତ ଅତିଥି ସାଂସଦ ମୁଜିବୁଲ୍ଲା ଖାଁ କହିଥିଲେ ମହିଳାଙ୍କ ବିକାଶରେ ଓଡ଼ିଶା ଯେତିକି ଅଗ୍ରଗତି କରିଛି, ଅନ୍ୟ କୌଣସି ରାଜ୍ୟ ସେଭଳି ଅଗ୍ରଗତି କରିପାରି ନାହିଁ। ରାଜ୍ୟ ସରକାର ଗାଁକୁ କାମ ଓ ମା’କୁ ସମ୍ମାନ ଦେଇ ଆସିଛନ୍ତି ଓ ପ୍ରଗତିର ଯାତ୍ରାକୁ ଅବ୍ୟାହତ ରଖିଛନ୍ତି ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଜାତୀୟ ମହିଳା ଆୟୋଗର ଯୁଗ୍ମ ସଚିବ ଅଶୋକ ଚଲାଇ ପ୍ରମୁଖ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆବାହକ ଏନ୍‌.ସି ଜ୍ୟୋତିରଂଜନ ନାୟକ ଧନ୍ୟବାଦ ଦେଇଥିଲେ। କର୍ମଶାଳାରେ ଆନ୍ଧ୍ର, ମହାରାଷ୍ଟ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ରାଜସ୍ଥାନ, ତାମିଲନାଡ଼ୁ ଭଳି ୧୫ଟି ରାଜ୍ୟର ମହିଳା ଆୟୋଗର ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହସ ଫୁଟିଲା, ପରିବାର ତିଷ୍ଠିଲା ଓ ମହିଳା ଆଇନ ପୁସ୍ତକର ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର