ସୁନ୍ଦରଗଡ଼: ୨୦୨୦ରେ ମହାମାରୀ କରୋନା ସାରା ବିଶ୍ବରେ ଖେଳାଇ ଦେଇଥିଲା ଆତଙ୍କ। ତାଲାବନ୍ଦ ଯୋଗୁଁ ଲୋକେ ବର୍ଷାଧିକ ସମୟ ରହିଥିଲେ ଗୃହବନ୍ଦୀ। ଏ ପରିବାରରୁ ସେ ପରିବାର, ଏ ଘରୁ ସେ ଘର, ଏ ଗାଁରୁ ସେ ଗାଁ ଦୂରଛଡ଼ା ହୋଇ ରହିଲେ। ମୃତ୍ୟୁ ଭୟ ଆଗରେ ସମ୍ପର୍କ, ଜୀବନ ରଂଗର ଉତ୍ସବ, ପର୍ବପର୍ବାଣି ସବୁ ଫିକା ପଡ଼ି ଯାଇଥିଲା। ସେହି ବର୍ଷ ରାଖି ପୁନେଇଁରେ ବି ବିବାହିତା ଭଉଣୀମାନେ ରାଖି ବାନ୍ଧିବାକୁ ଭାଇ ଘରକୁ ଯାଇ ପାରି ନଥିଲେ। ଏହି ସମୟରେ ଏକ ନିଆରି କାହାଣୀ ରଚନା କରିଥିଲେ ଲେଫ୍ରିପଡ଼ା ବ୍ଲକ୍ ଝୁରିମାଲ ଗାଁର ମହିଳାମାନେ। ‘ବୃକ୍ଷ ରକ୍ଷାବନ୍ଧନ’ ନାମରେ ଗାଁର ଦେଢ଼ ଏକର ଜମିରେ ୧୬୫ ପରିବାରର ଜଣେ ବିବାହିତା ମହିଳା ଲଗାଇଥିଲେ ଫଳ ଚାରା, ବାନ୍ଧିଥିଲେ ରାଖି। ଭାଇର ଦୀର୍ଘାୟୁ କାମନା କଲା ଭଳି ଚାରାର ସୁରକ୍ଷା ପାଇଁ ନେଇଥିଲେ ଶପଥ। ସେ ଦିନଠାରୁ ଯେ ଯାହାର ଚାରାର ଯତ୍ନ ନେଲେ। ଘାସ ବଛା, ପାଣି, ସାର ଦେଇ ସୃଷ୍ଟି କରିଥିଲେ ଫଳବଗିଚା। ସେଦିନର ଭଉଣୀ ହାତର ଚାରା ଏବେ ୫ ଫୁଟର ଗଛ ହୋଇଗଲାଣି। ଏଥିପାଇଁ ସୁନ୍ଦରଗଡ଼ ବନଖଣ୍ଡ ଚାରା ଯୋଗାଇ ଦେଇଥିବାବେଳେ ସ୍ବେଚ୍ଛାସେବୀ ଦିଗାମ୍ବର ଉପାଧ୍ୟାୟ ମହିଳାଙ୍କୁ ଏ ନିଆରା ଚିନ୍ତାଧାରା ପାଇଁ ପ୍ରେରିତ କରିଥିଲେ। ସେହିଦିନଠାରୁ ଚାରି ବର୍ଷ ହେଲା ଗାଁର ପ୍ରତ୍ୟେକ ବିବାହିତା ମହିଳା ରାଖି ପୁନେଇଁ ଦିନ ବଗିଚାକୁ ଆସି ପ୍ରଥମେ ନିଜେ ଲଗାଇଥିବା ଗଛକୁ ଯଥାବିଧି ପୂଜାର୍ଚ୍ଚନା କରି ରାଖି ବାନ୍ଧିଲା ପରେ ନିଜ ନିଜ ଭାଇମାନଙ୍କୁ ରାଖି ବାନ୍ଧି ମୁଣ୍ତିଆ ମାରିଥାନ୍ତି। ଗଛ ଓ ମଣିଷର ନିଆରା ସମ୍ପର୍କର ଏ କାହାଣୀ ଏବେ ଗାଁର ଏକ ଅଲିଖିତ ପରମ୍ପରା ହୋଇଯାଇଥିବା ବେହଳେ ଏହା ଅବିବାହିତ ଝିଅମାନଙ୍କୁ ବି ଆକୃଷ୍ଟ କଲାଣି। ଝିଅମାନେ ବି ନିଜ ନିଜ ନାମରେ ଚାରା ଲଗାଇ ପ୍ରତି ବର୍ଷ ରାଖି ବାନ୍ଧି ଆସୁଛନ୍ତି। ଝୁରିମାଲ ଗାଁ ମହିଳାଙ୍କ ଏ ରାଖି ପରମ୍ପରା ଅନ୍ୟ ଗାଁ ମହିଳାଙ୍କୁ ବି ପ୍ରେରିତ କରିବ ଓ ସୁନ୍ଦରଗଡ଼ର ସବୁ ଗାଁରେ ଏଭଳି ରାଖି ପାଇଁ ବଗିଚା ତିଆରି ହେବ ବୋଲି ବନ ବିଭାଗ ଆଶା ରଖିଛି।
ଝୁରିମାଲର ନିଆରା କାହାଣୀ: ରାଖି ପାଇଁ ମହିଳା ସୃଷ୍ଟି କରିଛନ୍ତି ଦେଢ଼ ଏକରର ବଗିଚା
/sambad/media/post_attachments/wp-content/uploads/2023/09/b47b36ce-9bb5-47cd-a866-9d47d22b1d0f.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)