ସମ୍ବଲପୁର: ପ୍ରତିଷ୍ଠିତ ଲେଖକ, ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ପରଲୋକ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍ ବାରଡୁଙ୍ଗୁରୀସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ, ଆଦର୍ଶ ଶିକ୍ଷକ ଭାବରେ ସେ ସାରା ଓଡ଼ିଶାରେ ପରିଚିତ। ତାଙ୍କ ଦ୍ବାରା ଲିଖିତ ନାଟକ ‘ଭୂଖା’ ପରବର୍ତ୍ତୀ ଚଳଚ୍ଚିତ୍ରର ରୂପ ନେଇଥିଲା। ଏହା ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଥିଲା।
ମେ ୪ ତାରିଖ ୧୯୩୪ରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ବିଶ୍ବାଳ ଏକାଧିକ ନାଟକ, କବିତା ଓ ଗପ ରଚନା କରି ଉଭୟ ଓଡ଼ିଆ ଓ ସମ୍ବଲପୁର ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ପ୍ରମୁଖ ସାହିତ୍ୟକୃତି ମଧ୍ୟରେ ଜୀବନୀ ପୁସ୍ତକ ହଜିଲା ଦିନ, କବିତା ପୁସ୍ତକ ଦରିଆ ପାରିର କବିତା, ମନୋଲୀନା, ପାଉଁଶ ତଳର ନିଆଁ, ଗଳ୍ପ ସଂକଳନ ଅସ୍ତରାଗର କବି, ନାଟକ ଉଡ୍ଲା ପତର୍ ବୁଡ୍ଲା ଡଙ୍ଗା, ହତରିଆର ଭୂତିଆର୍, ସୁରେନ୍ଦ୍ର ସାଏ, ବରୁଆ, ଛଇଲି, ଉଲ୍ଗୁଲାନ୍, ମା’ ସମଲେଇ ପ୍ରମୁଖ ପାଠକଙ୍କ ମହଲରେ ବେଶ୍ ଆଦୃତ ହୋଇଥିଲା।
ସେ ମଧ୍ୟ ରାଷ୍ଟପତି ପୁରସ୍କୃତ ଶିକ୍ଷକ ଥିଲେ। ତାଙ୍କ ସାହିତ୍ୟ କୃତି ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡିଲିଟ୍ ଉପାଧି ଦିଆଯାଇଛି। ଏତଦ୍ବ୍ୟତୀତ ଭରତ ଚନ୍ଦ୍ର ସ୍ମୃତି ସମ୍ମାନ, ବାଲେଶ୍ବର ଫକୀର ମୋହନ ସମ୍ମାନ ପାଇଛନ୍ତି। ପଦ୍ମଶ୍ରୀ ପାଇଁ ବିଭିନ୍ନ ମହଲରୁ ଦାବି କରାଯାଉଛି। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।
ହୀରାକୁଦ ଜଲଭଣ୍ଡାର ସଂଲଗ୍ନ ପିତାପାଲି ଗାଁରେ ଜନ୍ମିତ ମଙ୍ଗଳୁଚରଣ ଶ୍ରିପୁରା ଓ ପରମାନପୁର ହାଇସ୍କୁଲରେ ଦୀର୍ଘ ୩୮ ବର୍ଷ ଶିକ୍ଷକତା କରିଥିଲେ। ପ୍ରଧାନ ଶିକ୍ଷକ ଭାବେ ଚାକିରିରୁ ଅବସର ନେବା ପରେ ପରମାନପୁର ପାଖ ବାରଡୁଙ୍ଗୁରି ଗାଁରେ ଘରକରି ରହୁଥିଲେ। ସେ ତାଙ୍କ ପଛରେ ପତ୍ନୀ ଶୈଳବାଳାଙ୍କ ସହିତ ୩ ପୁଅ ଓ ଗୋଟିଏ ଝିଅଙ୍କୁ ଛାଡ଼ି ଯାଇଛନ୍ତି।