ବେଜିଙ୍ଗ୍: ଉତ୍କଟ ଦାରିଦ୍ର୍ୟ ନିଶ୍ଚିହ୍ନ କରିବାକୁ ତାଙ୍କ ଦେଶ ‘ମାନବୀୟ ଚମତ୍କାରିତା’ ହାସଲ କରିଥିବା କଥା ଗୁରୁବାର ଦିନ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଘୋଷଣା କରିଛନ୍ତି। କିନ୍ତୁ, କମ୍ୟୁନିଷ୍ଟ୍ ପାର୍ଟିର ଏହି ଦାବି ସମ୍ପ୍ରତି ସଂଶୟ ଘେରରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବେଜିଙ୍ଗ୍ରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ମଫସଲି ସମ୍ପ୍ରଦାୟର ଅଧିକାରୀମାନଙ୍କୁ ପଦକ ପ୍ରଦାନ କରିବା ସହ ‘ଚୀନ୍ର ଏହି ଦୃଷ୍ଟାନ୍ତ’କୁ ଅନ୍ୟ ବିକାଶଶୀଳ ଦେଶମାନଙ୍କୁ ସେୟାର୍ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିନ୍ପିଙ୍ଗ୍ଙ୍କ ଠାରୁ ପଦକ ଗ୍ରହଣ କରିଥିବା କେତେକ ସାମ୍ପ୍ରଦାୟିକ ଅଧିକାରୀ ସଂଖ୍ୟାଲଘୁ ଆଦିମ ବାସିନ୍ଦାଙ୍କ ପୋଷାକ-ପରିଚ୍ଛଦ ପିନ୍ଧିଥିଲେ।
ରାଷ୍ଟ୍ରପତି ଜିନ୍ପିଙ୍ଗ୍ କହିଲେ, ଏତେ ସ୍ୱଳ୍ପ ସମୟ ମଧ୍ୟରେ ଅନ୍ୟ କୌଣସି ଦେଶ ନିୟୁତ ନିୟୁତ ଜନତାଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେଇ ପାରିବ ନାହିଁ। ଏଥିପାଇଁ ପ୍ରସ୍ତୁତ କରାଯାଇଥିବା ଏହି ‘ମାନବୀୟ ଚମତ୍କାରିତା’ କଥା ଇତିହାସରେ ଉଲ୍ଲେଖ କରାଯିବ।
ଗତବର୍ଷ ଚୀନ୍ ଦାବି କରିଥିଲା ଯେ, ଦୈନିକ ୨.୩୦ ଡଲାର୍ ଉପାର୍ଜନ କରାଇ ଚୀନ୍ ତା’ର ସମସ୍ତ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାର ଊର୍ଦ୍ଧ୍ୱକୁ ନେବାର ଲକ୍ଷ୍ୟ ହାସଲରେ ସଫଳାତା ହାସଲ କରିଛି।
ବିଶ୍ୱ ବ୍ୟାଙ୍କ୍ କହିବା ଅନୁସାରେ, ୧୯୭୦ରୁ ବଜାର ସଂସ୍କାର କରି ଚୀନ୍ ୮୦୦ ନିୟୁତରୁ ଅଧିକ ଲୋକଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତି ଦେଇଛି।
୨୦୨୦ ସୁଦ୍ଧା ଉତ୍କଟ ଦାରିଦ୍ର୍ୟ ବିଲୋପ କରିବା ଲାଗି ରାଷ୍ଟ୍ରପତି ଜିନ୍ପିଙ୍ଗ ୨୦୧୫ରେ ଶପଥ କରିଥିଲେ।
ରାଷ୍ଟ୍ରପତି ଜିନ୍ପିଙ୍ଗ୍ କହିଛନ୍ତି, ଦାରିଦ୍ର୍ୟ ସହ ସଂଗ୍ରାମ କରୁଥିବା ବିକାଶଶୀଳ ଦେଶମାନଙ୍କୁ ସମ୍ପ୍ରତି ଚୀନ୍ ସହାୟତା ପ୍ରଦାନ କରୁଛି।