କମିଲା କିନ୍ତୁ କମ୍ପେଇଦେଲା..କିଛି ଏମିତି ଥିଲା ବାତ୍ୟା ୟାସର ପ୍ରକୋପ

ସରିଲା ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା, ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଅତିକ୍ରମ କଲା ଉପକୂଳ

ଭୁବନେଶ୍ୱର: ଯେତିକି ଆକଳନ ଥିଲା ତାହାଠାରୁ କମ ହେଲା ସତ, କିନ୍ତୁ କମ୍ପେଇଦେଇଛି ଉପକୂଳର ୪ଟି ଜିଲ୍ଲା | ଲ୍ୟାଣ୍ଡଫଲ ସମୟରେ ବାତ୍ୟା ୟାସର ପବନ ବେଗ ୧୫୦ରୁ ୧୬୫ କିଲୋମିଟର ଆକଳନ କରାଯାଉଥିଲେ ବି ୧୩୦ରୁ ୧୫୦ କିଲୋମିଟର ମଧ୍ୟରେ ୟାସ ଆଜି ଲ୍ୟାଣ୍ଡଫଲ କରିଥିଲା।  ଆଜି ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାତ୍ୟା ଉପକୂଳକୁ ଅତିକ୍ରମ କରିଥିବାବେଳେ ବର୍ତ୍ତମାନ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଲ୍ୟାଣ୍ଡଫଲ ଶେଷ ହେବା ନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇଯିବ।  ପବନ ବେଗ ହ୍ରାସ ପାଇ ୯୦ରୁ ୧୦୦ କିଲୋମିଟରକୁ ଖସିବ । ଆଉ ପରବର୍ତ୍ତୀ ୬ ଘଣ୍ଟାରେ ପବନ ବେଗ ୬୦ କିଲୋମିଟରକୁ ଖସିବ। ଆସନ୍ତାକାଲି ଡିପ ଡିପ୍ରେସନରେ ପରିଣତ ହୋଇ ଝାଡ଼ଖଣ୍ଡକୁ ପଳାଇବ। ତେବେ ୧୨ ଘଣ୍ଟା ଯାଏଁ ପ୍ରବଳ ବର୍ଷା ଲାଗିରହିବ। ତେବେ ବାତ୍ୟା ୟାସର ପବନ ବେଗ କିଛି ମାତ୍ରାରେ ହ୍ରାସ ପାଇଥିଲେ ବି ଏହାର ପ୍ରଭାବ ସମୁଦ୍ରକୂଳିଆ ଅଂଚଳରେ ପଡିଛି ।

ଅଧିକାଂଶ ସ୍ଥାନରେ ସମୁଦ୍ର ଜୁଆର ଜନବସତିକୁ ମାଡିଆସିଥିବାବେଳେ ଏକର ଏକର ଜମିରେ ଲୁଣି ପାଣି ଭର୍ତ୍ତି ହୋଇଯାଇଛି। ବାତ୍ୟା ପ୍ରଭାବରେ ବଡ ବଡ ଗଛ ଉପୁଡିପଡିଥିବାବେଳେ ଏନଡିଆରଏଫ ଓ ଓଡ୍ରାଫ ଟିମ ଏବେ ଏଗୁଡ଼ିକୁ ହଟାଇବାରେ ଲାଗିପଡିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ଏକାଧିକ ପଂଚାୟତରେ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ସମ୍ବନ୍ଧିତ ଖବର