କଳାହାଣ୍ଡି: ପୁଣି ଥରେ ରିୟଲିଟି ସୋ ‘କୌନ ବନେଗା କରୋଡପତି’ ନାଁରେ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବକ। ଲୋକପ୍ରିୟ କୁଇଜ୍ ସୋ’ କେବିସି ନାଁରେ କଳାହାଣ୍ଡିର ଯୁବକଙ୍କଠାରୁ ଜଣେ ଦୁର୍ବୃତ୍ତ ୭୦ହଜାର ଟଙ୍କା ଠକିନେବା ପରେ ସେ ଆତ୍ମହତ୍ୟା କରିଛନ୍ତି। କେବିସି ନାଁରେ ରାଣାପ୍ରତାପ ନାମକ ଜଣେ ବ୍ୟକ୍ତି ଲାଞ୍ଜିଗଡ଼ର ପ୍ରତାପ ବାରିକଙ୍କୁ ଫୋନ କରିବା ସହ କେବିସି ପକ୍ଷରୁ ୨୫ଲକ୍ଷ ଟଙ୍କା ପୁରସ୍କାର ଜିତିଥିବା କଥା କହିଥିଲେ। ଏହା ପରେ ୨୫ଲକ୍ଷ ଟଙ୍କା ପାଇବା ପାଇଁ ଋଣ କରି ୭୦ହଜାର ଟଙ୍କା ଦେଇଥିଲେ ପ୍ରତାପ। କିନ୍ତୁ ୭୦ହଜାର ଟଙ୍କା ଦେବା ପରେ ମଧ୍ୟ ତାଙ୍କୁ ୨୫ଲକ୍ଷ ଟଙ୍କା ନ ମିଳିବାରୁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଆତ୍ମହତ୍ୟା ପୂର୍ବରୁ ପ୍ରତାପ ଏକ ଭିଡିଓ କରି ଠକ ରାଣାପ୍ରତାପକୁ ଗିରଫ କରିବା ପାଇଁ ଅନୁରୋଧ କରିଥିବା ସାମ୍ନାକୁ ଆସିଛି।

Advertisment

ମିଳିଥିବା ସୂଚନାନୁସାରେ, ଗତ ଜାନୁଆରି ୧୨ତାରିଖରେ ପ୍ରତାପଙ୍କ ପାଖକୁ ଏକ ଫୋନ କଲ୍ ଆସିବା ସହ କେବିସି ପକ୍ଷରୁ ୨୫ଲକ୍ଷ ଟଙ୍କା ଜିତିଥିବା ବିଷୟରେ କହିଥିଲା ଠକ ରାଣାପ୍ରତାପ। ହେଲେ ଟଙ୍କା ପାଇବା ପାଇଁ ୨୫,୦୦୦ଟଙ୍କା ଟିକସ ଭରିବାକୁ ହେବ ବୋଲି କହିବା ପରେ ପ୍ରତାପ ସାଙ୍ଗ ଓ ବନ୍ଧୁ ବାନ୍ଧବଙ୍କଠାରୁ ଋଣ ଆଣି ରାଣାପ୍ରତାପଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ଏହା ପରେ ସେ ଆହୁରି ଟଙ୍କା ମାଗିବାରୁ ସର୍ବମୋଟ ୭୦,୦୦୦ଟଙ୍କା ଦେଇଥିଲେ ପ୍ରତାପ। ଟଙ୍କା ପାଇବା ପରେ କୋଲକାତାରେ ରହୁଥିବା ଅଭିଯୁକ୍ତ ରାଣାପ୍ରତାପ ସିଂହ ଫୋନ ଉଠାଇ ନ ଥିଲା। କିଛି ଦିନ ଫୋନ କରିବା ପରେ ନ ଉଠାଇବାରୁ ନିରାଶ ହୋଇ ପ୍ରତାପ ଟିଟିଲାଗଡ଼ ରେଳ ଷ୍ଟେସନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Image result for suicide PS I Love You

ଟିଟିଲାଗଡ଼ ଜିଆରପି ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। କିନ୍ତୁ ପରେ ଠକେଇ ମାମଲା ସାମ୍ନାକୁ ଆସିବାରୁ ପୁଲିସ କହିଛି, ଏ ନେଇ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଅଭିଯୋଗ କରାଗଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।