ଭୁବନେଶ୍ବର: ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମ୍ୟାଲେସିଆ ଓ ସଂଲଗ୍ନ ମାଲାକ୍କା ପ୍ରଣାଳୀ ଉପରେ ଆଜି ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ମଙ୍ଗଳବାର ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଅବପାତର ରୂପ ନେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନିଜ ଯାତ୍ରା ଜାରି ରଖିବା ସହ ଆହୁରି ଘନୀଭୂତ ହେବ ଏବଂ ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ‌ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ ସେ ନେଇ ଏବେ ସ୍ପଷ୍ଟ ହୋଇନି।

Advertisment

ଅନ୍ୟପଟେ ଏବେ ରାଜ୍ୟରେ ଶୀତ ହାଲ୍‌କା କମିଥିବା ବେଳେ ଆସନ୍ତା ୫ ଦିନ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିବ ଏବଂ ପୁଣି ରାଜ୍ୟରେ ଥଣ୍ଡା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏରୁ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରି ବୃଦ୍ଧି ଘଟିଛି। ଓଡ଼ିଶାର ଅବଶିଷ୍ଟ ଜିଲ୍ଲାଗୁଡ଼ିକ‌ରେ କୌଣସି ବଡ଼ ପରିବର୍ତ୍ତନ ଘଟିନାହିଁ। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ମଧ୍ୟରେ ରହିବ।