ଭୁବନେଶ୍ବର: ରାଜ୍ୟବାସୀ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପହିଲି ଶୀତର ପୁଲକକୁ ମନଭରି ଉପଭୋଗ କରୁଛନ୍ତି। ଆଜି ସକାଳେ ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିବା ଦେଖାଯାଇଛି। ଓଡ଼ିଶାରେ ପାଗ ଶୁଖିଲା ଓ ଆକାଶ ନିର୍ମଳ ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ବିଭିନ୍ନ ସ୍ଥାନର ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଉତ୍ତର ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ତାପମାତ୍ରା ୪ ଡିଗ୍ରି କମିବା ସହ ଶୀତ ପଡ଼ିଲାଣି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାପରେ ବିଶେଷ ପରିବର୍ତ୍ତନର ଆଶଙ୍କା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସକାଳ ସମୟରେ କୁହୁଡ଼ି ପଡ଼ିବା ସହ ଦିନରେ ମେଘମୁକ୍ତ ଆକାଶ ରହିବାର ସମ୍ଭାବନା ରହିଛି। ସର୍ବାଧିକ ଦିନ ତାପମାତ୍ରା ୩୨ ଡିଗ୍ରି ଓ ରାତି ତାପମାତ୍ରା ୧୮ ଡିଗ୍ରି ମଧ୍ୟରେ ରହିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୧୨ ଡିଗ୍ରି ରେକର୍ଡ ହୋଇଥିଲା। ସେହିଭଳି ଫୁଲବାଣୀରେ ୧୨.୫ ଡିଗ୍ରି, ଅନୁଗୁଳରେ ୧୫ ଡିଗ୍ରି, କୋରାପୁଟରେ ୧୫.୫ ଡିଗ୍ରି, ଝାରସୁଗୁଡ଼ା ଓ କେନ୍ଦୁଝରରେ ୧୫.୮ ଡିଗ୍ରି ଓ ରାଉରକେଲାରେ ୧୬.୧ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/13/g-udayagiri-winter2.jpg)