ଭୁବନେଶ୍ବର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ପାରଦ ନିମ୍ନଗାମୀ ହୋଇଛି। ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୭ ଡିଗ୍ରି କମିଥିବା ବେଳେ ଉପକୂଳରେ ଏହା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିଛି। ଗତକାଲି ଭଳି ଦାରିଙ୍ଗବାଡ଼ିର ରାତି ତାପମାତ୍ରା ୭.୫ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ରହିଥିଲା ୮.୨ ଡିଗ୍ରି। ଏଥିସହ ରାଜ୍ୟର ୧୯ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଏହିଭଳି ଜାରି ରହିବ। ଏହାପରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ବୃଦ୍ଧି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଝାରସୁଗୁଡ଼ାରେ ଗତକାଲି ରାତି ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା ଓ ନବରଙ୍ଗପୁରରେ ୧୧.୫ ଡିଗ୍ରି, ଅନୁଗୁଳରେ ୧୧.୬ ଡିଗ୍ରି, କେନ୍ଦୁଝର, ରାଉରକେଲା ଓ ସୁନ୍ଦରଗଡ଼ରେ ୧୨.୨ ଡିଗ୍ରି, କୋରାପୁଟରେ ୧୩.୨ ଡିଗ୍ରି, ବଲାଙ୍ଗୀରରେ ୧୩.୫ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତାକାଲି ବି ରାଜ୍ୟର ପାରଦ ସ୍ତର ଏହି ଅବସ୍ଥାରେ ରହିବ। ତେବେ ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ କଳାହାଣ୍ଡି ଓ କୋରାପୁଟରେ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଭୁବନେଶ୍ବର ଓ ଫୁଲବାଣୀରେ ଶୀତ ଲହରି ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଗତକାଲି ରାତିରେ ଭୁବନେଶ୍ବର ଓ କଟକର ରାତି ପାରଦ ୧୪.୮ ଡିଗ୍ରିରେ ପହଞ୍ଚିଥିଲା। ଏବେ କିଛି ଦିନ ଥଣ୍ଡା ପାଗ ଜାରି ରହିବ ବୋଲି କୁହାଯାଇଛି।