ଭୁବନେଶ୍ବର/ଘୁ.ଉଦୟଗିରି: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି। ଲଗାତାର ଭାବେ ପାରଦ ହ୍ରାସ ପାଇଚାଲିଛି। କନ୍ଧମାଳଜିଲ୍ଲା ଘୁ.ଉଦୟଗିରିରେ ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରି ରେକର୍ଡ ହୋଇଛି। କେବଳ ସେତିକି ନୁହେଁ, ରାଜ୍ୟର ୧୩ଟି ସହରର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସି ଆସିଛି। ଭୁବନେଶ୍ବର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରିକୁ ଖସିଛି। ଆହୁରି ଦୁଇଦିନ ଓଡ଼ିଶାରେ ଏମିତି ଥଣ୍ଡା ଲହରି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହ ସତର୍କ ସୂଚନା ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ଥଣ୍ଡା ପ୍ରବାହ ଲାଗିରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

Advertisment

ଥଣ୍ଡାରେ ଦୀର୍ଘ ସମୟ ଧରି ରହିବା ଯୋଗୁଁ ଛୋଟ ପିଲାଙ୍କୁ ଫ୍ଲୁ, ନାକରୁ ପାଣି ବୋହିବା/କିମ୍ବା ନାକରୁ ରକ୍ତସ୍ରାବ ହେବା ଭଳି ବିଭିନ୍ନ ରୋଗର ସମ୍ଭାବନା ରହିଛି। ତେଣୁ ଅଭିଭାବକ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। କେତେକ ସ୍ଥାନରେ କୃଷି, ଫସଲ, ପଶୁପାଳନ, ଜଳଯୋଗାଣ, ପରିବହନ ଓ ବିଦ୍ୟୁତ୍ କ୍ଷେତ୍ର ଉପରେ ପ୍ରଭାବ ପଡ଼ିପାରେ। ବର୍ତ୍ତମାନ ସମୟରେ ଢିଲା କିମ୍ବା ଗୋଟିଏସ୍ତରର ପୋଷାକ ପିନ୍ଧିବା ବଦଳରେ ଏକାଧିକସ୍ତରର ମୋଟା ପୋଷ‌ାକ ପରିଧାନ, ମୁଣ୍ଡ, ବେକ, ହାତ ଓ ପାଦ ଆଙ୍ଗୁଠିକୁ ଭଲ ଭାବେ ଘୋଡ଼ାଇବା, ଭିଟାମିନ-ସି ଯୁକ୍ତ ଫଳ ଓ ପନିପରିବା ଖାଇବା ସହ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଜାୟ ରହିବ। ଯେତେଦୂର ସମ୍ଭବ ସକାଳ ଓ ସନ୍ଧ୍ୟା ସମୟରେ ବାହାର କାର୍ଯ୍ୟକଳାପକୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି। ପଶୁପକ୍ଷୀଙ୍କୁ ଥଣ୍ଡାଠାରୁ ରକ୍ଷା କରିବାକୁ କୁହାଯାଇଛି।

ସତର୍କ କରାଇଲା ପାଣିପାଗ ବିଭାଗ
ଭିଟାମିନ୍‌-ସି ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ
୧୨ ଡିଗ୍ରି ତଳେ ୧୩ ସହରର ତାପମାତ୍ରା
୧୩ ଡିଗ୍ରିକୁ ଖସିଲା ଭୁବନେଶ୍ବର, କଟକ

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ଏବେ ତଳମୁହାଁ। ଭୋର ସମୟରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଗତ ତିନିଦିନର ଭୋର ୫ଟା୩୦ର ତଥ୍ୟକୁ ଅନୁଧ୍ୟାନ କଲେ ସର୍ବନିମ୍ନ ତାପମାତ୍ରା ୧.୨ ଡିଗ୍ରି ହ୍ରାସ ପାଇଛି। ନଭେମ୍ବର ୧୪ ସନ୍ଧ୍ୟା ସାଢ଼େ ୫ଟାରେ ୧୬ ଡିଗ୍ରି ଥିବା ବେଳେ ୧୫ରେ ୧୫ ଡିଗ୍ରି ଓ ୧୪ ତାରିଖରେ ୧୪.୮ ଡିଗ୍ରି ରହିଥିଲା। ତେବେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପାରଦ ଆହୁରି ହ୍ରାସ ପାଇ ୧୩ ଡିଗ୍ରିରେ ପହଞ୍ଚିଛି। ଅର୍ଥାତ୍‌ ଗତକାଲି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରି ରହିଥିବା ବେଳେ ଆଜି ତାହା ୧୩ ଡିଗ୍ରିକୁ ଖସି ଆସିଛି। ଏହି ସମୟ‌ରେ ସହରର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୧୯.୪ ଡିଗ୍ରି ରହିବା କଥା। ମାତ୍ର ସ୍ବାଭାବିକଠାରୁ ୬.୪ ଡିଗ୍ରି କମ୍‌ ରହିଥିଲା। ଅନୁରୂପ ଭାବେ କଟକ ସହରର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ ଆଜି ୧୩.୬ ଡିଗ୍ରିରେ ପହଞ୍ଚିଛି, ଯାହାକି ସ୍ବାଭାବିକଠାରୁ ୫.୧ ଡିଗ୍ରି କମ୍‌।

ଏହି ଦୁଇ ସହର ବ୍ୟତୀତ କୋରାପୁଟ ‌ସେମିଳିଗୁଡ଼ାରେ ୭.୪ ଡିଗ୍ରି, ଦାରିଙ୍ଗବାଡ଼ିରେ ୮, ଫୁଲବାଣୀରେ ୯, ରାଉରକେଲାରେ ୧୦.୨, ଝାରସୁଗୁଡ଼ାରେ ୧୦.୬, ଅନୁଗୁଳରେ ୧୦.୬, କେନ୍ଦୁଝରରେ ୧୦.୮, ଚିପିଲିମାରେ ୧୧, କିରେଇରେ ୧୧.୩, ଭବାନୀପାଟଣାରେ ୧୧.୪, କୋରାପୁଟରେ ୧୧.୫, ନବରଙ୍ଗପୁରରେ ୧୧.୬ ଡିଗ୍ରି ରେକର୍ଡ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଏବଂ କଳହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୭ ଡିଗ୍ରି କମ୍‌ ରହିଛି। ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି କମ୍‌ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।