ଭୁବନେଶ୍ବର: ଆଜି ସକାଳେ ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ଓ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ସେଲ୍‌ସିୟସ୍‌ ହ୍ରାସ ପାଇଛି। ଓଡ଼ିଶାର ଅନ୍ୟ କୌଣସି ଜିଲ୍ଲାରେ ପାଗରେ ପରିବର୍ତ୍ତନ ହୋଇନାହିଁ। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଓ ଆଭ୍ୟନ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୪ରୁ ୫ ଡିଗ୍ରି କମ୍‌ ତାପମାତ୍ରା ରହିଥିଲା। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଓ ଆଭ୍ୟନ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୭.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ା, ଫୁଲବାଣୀ‌ରେ ୧୦.୫ ଡିଗ୍ରି, ରାଉରକେଲାରେ ୧୦.୭ ଡିଗ୍ରି ଲେଖାଏଁ ରେକର୍ଡ ହୋଇଯାଇଛି। 

Advertisment

ରାଜ୍ୟରେ ଏବେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଫଳରେ ଓଡ଼ିଶାରେ ଶୀତ ସାମାନ୍ୟ କମିବ। ଏହାପରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରରେ ଏହାର ଆଖପାଖ ଅଞ୍ଚଳରେ ସକାଳୁ କୁହୁଡ଼ିଆ ପାଗ ଲାଗିରହିବ। ସର୍ବାଧିକ ଦିନ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୭ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଶ୍ରୀଲଙ୍କା ଆଡ଼କୁ ଗତି କରି ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ବିଷୁବ ଭାରତ ମହାସାଗର ଉପରେ ଅଧିକ ସ୍ପଷ୍ଟ ହେବ।