ଭୁବନେଶ୍ବର: ଗତ କିଛିଦିନ ହେଲା ରାଜ୍ୟରେ ପାରଦ ନିମ୍ନଗାମୀ ହେବାରେ ଲାଗିଥିଲା। ଏବେଠାରୁ ଏଥିରେ ବ୍ରେକ୍ ଲାଗିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୩ ଦିନରେ ରାଜ୍ୟରେ ପାରଦ ସ୍ତର ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି। ସୋମବାର ରାତିରେ ରାଜ୍ୟର ୧୦ ସହରର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଥିବା ବେଳେ ଦାରିଙ୍ଗିବାଡ଼ି ଓ ଫୁଲବାଣୀର ସର୍ବନିମ୍ନ ରାତ୍ରି ତାପମାତ୍ରା ଅଳ୍ପ ବଢ଼ି ୮ ଡିଗ୍ରିରେ ପହଞ୍ଚିଥିଲା। ତଥାପି ଜାଡ଼ରେ ଥରିଥିଲା ଅଧା ରାଜ୍ୟ। ଅନୁଗୁଳର ରାତି ତାପମାତ୍ରା ୯.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ଥିଲା ୧୦.୧ ଡିଗ୍ରି, ଭବାନୀପାଟଣାରେ ୧୦.୪ ଡିଗ୍ରି, ନବରଙ୍ଗପୁରରେ ୧୧ ଡିଗ୍ରି, କୋରାପୁଟ ଓ ରାଉରକେଲାରେ ୧୧.୫ ଡିଗ୍ରି, ବଲାଙ୍ଗୀରରେ ୧୧.୮ ଡିଗ୍ରି ଓ ସୁନ୍ଦରଗଡ଼ରେ ୧୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି। ମଙ୍ଗଳବାର ରାତିରୁ ରାଜ୍ୟର ରାତି ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଶୀତ ଲହରି ପ୍ରବାହ କମିବ। ଫଳରେ ରାଜ୍ୟବାସୀ ଶୀତରୁ ସାମାନ୍ୟ ଆଶ୍ବସ୍ତ ହେବେ।
ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ କଳାହାଣ୍ଡିରେ ବି ହାଲୁକା କୁହୁଡ଼ି ରହିଥିଲା। ଅନ୍ୟପଟେ ଅନୁଗୁଳରେ ଭୀଷଣ ଶୀତ ଲହରି ଅନୁଭୂତ ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଏବେ ଏହି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବ। ସର୍ବାଧିକ ଦିନ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୫ ଡିଗ୍ରି ମଧ୍ୟରେ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/13/g-udayagiri-winter2.jpg)