ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ରବାହ ଜାରି ରହିଥିବା ବେଳେ କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଜାଡ଼ ଜାରି ରହିଛି। କନ୍ଧମାଳର ଦାରିଙ୍ଗବାଡ଼ିରେ ଗତକାଲି ରାତିରେ ତାପମାତ୍ର ୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ଥିଲା ୯.୫ ଡିଗ୍ରି ରହିଥିଲା। ସେହିଭଳି ସୁନ୍ଦରଗଡ଼ର ରାଉରକେଲାରେ ୧୦.୨ ଡିଗ୍ରି, ଝାରସୁଗୁଡ଼ାରେ ୧୦.୩ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରହିଥିଲା। ଫଳରେ ଏହି ୩ ଜିଲ୍ଲା ପ୍ରବଳ ଜାଡ଼ରେ ଥରୁଛି। ଅନ୍ୟପଟେ ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ପାରଦ ନିମ୍ନଗାମୀ ରହିଛି। ଅନୁଗୁଳରେ ୧୦.୬ ଡିଗ୍ରି, ଭଦ୍ରକରେ ୧୦.୮ ଡିଗ୍ରିକୁ ରାତି ପାରଦ ଖସିଥିବା ବେଳେ କୋରାପୁଟରେ ୧୧.୩ ଡିଗ୍ରି, ଭବାନୀପଟଣାରେ ୧୧.୫ ଡିଗ୍ରି, କେନ୍ଦୁଝରରେ ୧୧.୬ ଡିଗ୍ରି, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୧୨ ଡିଗ୍ରି, ଢେଙ୍କାନାଳରେ ୧୨.୫ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରହିଛି।
ରାଜ୍ୟର ସମୁଦାୟ ୨୨ ସହର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। ଆସନ୍ତା ୨ ଦିନ ରାଜ୍ୟରେ ଏହିଭଳି ତାପମାତ୍ରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବର ତାପମାତ୍ରା ମଧ୍ୟ ୧୪ ଡିଗ୍ରି ମଧ୍ୟରେ ରହିଛି। କଟକର ରାତି ତାପମାତ୍ରା ୧୪.୪ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରରେ ରହିଛି ୧୪.୮ ଡିଗ୍ରି। ତେବେ ମଙ୍ଗଳବାରଠାରୁ ରାତି ତାପମାତ୍ରାରେ ପରିବର୍ତ୍ତନ ଘଟିବ ଓ ରାତି ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/13/g-udayagiri-winter.jpg)