ହ୍ୟୁମାନ ସାଗର ଜଣେ ଓଡ଼ିଆ କଥାଚିତ୍ର ପ୍ରଚ୍ଛଦପଟ୍ଟ ଗାୟକ ଥିଲେ। ସେ ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟିଲାଗଡ଼ରେ ୧୯୯୦ ନଭେମ୍ବର ୨୫ରେ ଜନ୍ମ ଗ୍ରହଣ କରିଥିଲେ।
ସେ ୨୦୧୨ ମସିହାରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଭଏସ ଅଫ୍ ଓଡ଼ିଶା ସିଜିନ-୨ ଜିତି ଲୋକଲୋଚନକୁ ଆସିଥିଲେ। ସଙ୍ଗୀତ ପାଇଁ ସେ ନିଜର ଡାକ୍ତରୀ ପଢ଼ାକୁ ଅଧାରୁ ଛାଡ଼ିଦେଇଥିଲେ।
ବହୁତ କମ ଦିନରେ ସେ ସଂଗୀତ ଜଗତରେ ବାଦଶାହା ପାଲଟିଥିଲେ। ତାଙ୍କ ଗୀତରେ ମସଗୁଲ ହୋଇ ଲୋକେ ତାଙ୍କୁ ଓଡ଼ିଶାର ଅରିଜିତ ସିଂ ନାମରେ ନାମିତ କରିଥିଲେ।
ସେ ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ 'ଇସ୍କ ତୁ ହି ତୁ' ଚଳଚ୍ଚିତ୍ରର ମୁଖ୍ୟ ଗୀତଟି ଗାଇଥିଲେ, ଯାହା ତାଙ୍କୁ ଶ୍ରୋତାଗଣରେ ବେଶ୍ ଲୋକପ୍ରିୟ କରାଇଥିଲା। ୨୦୧୭ ମସିହାରେ 'ଗଜଲ ଗଜଲ' ଗୀତ ଗାଇ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଚକୋଲେଟ ପୁରସ୍କାର ଜିତିଥିଲେ ।
ହ୍ୟୁମାନ କେବଳ ଓଡ଼ିଆ ସିନେମାରେ ଗୀତ ଗାଇ ନାହାନ୍ତି.. ସେ ଏକ ହିନ୍ଦୀ ଆଲବମ 'ମେରା ୟେ ଜହାଁ'ରେ ଗୀତ ଗାଇଛନ୍ତି । ଏହାସହ ସେ ଅନେକ ଭଜନ ମଧ୍ୟ ଗାଇଛନ୍ତି।
କେବଳ ସଂଗୀତ ନୁହେଁ ସେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ସେ ୩ ମାର୍ଚ୍ଚ ୨୦୧୯ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।
୨୦୧୭ ମସିହାରେ ସେ ତାଙ୍କ ବାନ୍ଧବୀ ଶ୍ରୀୟାଙ୍କୁ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
ଏହାରି ଭିତରେ ୨୦୨୫ ମସିହା ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱେର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ନିମୋନିଆରେ ପୀଡ଼ିତ ହେବା ସହିତ ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିଲା । ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା।