ଉଦ୍ଧାର ହେଲା ଫିସିଂ କ୍ୟାଟ୍‌, ପଠାଗଲା ନନ୍ଦନକାନନ

ବାରିପଦା ବନଖଣ୍ଡ ଅଧିନ ଦେଉଳି ରେଞ୍ଜ କୁଳିଅଣା ସେକ୍ସନ କନିଆଁଲୁକା ଗ୍ରାମର ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଫିସିଂ କ୍ୟାଟ୍‌କୁ ବନବିଭାଗର କର୍ମଚାରୀମାନେ ଗୁରୁବାର ଅପରାହ୍ନ ୩ଟାରେ ଉଦ୍ଧାର କରିଛନ୍ତି।

ଅଦ୍ୟତନ ହୋଇଛି
Fishing cat

Fishing cat Photograph: (sambad.in)

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧିନ ଦେଉଳି ରେଞ୍ଜ କୁଳିଅଣା ସେକ୍ସନ କନିଆଁଲୁକା ଗ୍ରାମର ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଫିସିଂ କ୍ୟାଟ୍‌କୁ ବନବିଭାଗର କର୍ମଚାରୀମାନେ ଗୁରୁବାର ଅପରାହ୍ନ ୩ଟାରେ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ବିଲେଇକୁ ନନ୍ଦନକାନନ ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଲେମ୍ବୁ ବଗିଚା ଦେଇ ଯାଇଥିବା କେନାଲରେ ଏକ ଫିସିଂ କ୍ୟାଟ୍‌ (ପାଣି ଓଧ) ଖସିପଡ଼ିଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନଖଣ୍ଡ ଏସିଏଫ୍ ରବି ନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶରେ ବାରିପଦା ଫରେଷ୍ଟ ଡିଭିଜନର ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ପହଂଚି ବିଲେଇକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଏକ ସ୍ୱତନ୍ତ୍ର ଯନ୍ତାରେ ନେଇ ତାର ଚିକିତ୍ସା କରାଯାଇ ବାରିପଦା ଫରେଷ୍ଟ ଡିଭିଜନର ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଥିଲା।

ଶିମିଳିପାଳ ଅଭୟାରଣ୍ୟରୁ ଏହା ଖସି ଆସିଥିବା ଅନୁମାନ କରାଯାଉଛି। ପାଣି ଓଧଣ ବୟସ ୪ବର୍ଷ ପାଖାପାଖି ଥିବା ଜଣାପଡ଼ିଛି। ଏହା ବିଲୁପ୍ତପ୍ରାୟ ସିଡ୍ୟୁଲ୍ଡ-୧ ପ୍ରଜାତିର ପ୍ରାଣୀ ହୋଇଥିବାରୁ ଏହାର ଚିକିତ୍ସା ଓ ବଂଶ ବୃଦ୍ଧି ପାଇଁ ନନ୍ଦନକାନନକୁ ପଠାଇବା ପାଇଁ ବାରିପଦା ବନ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। 

ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝାଙ୍କ ସହ କଥାବାର୍ତ୍ତା ହୋଇ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଉଛି ବୋଲି ଜଣାଇଛନ୍ତି। ତେବେ ଏଭଳି ପ୍ରଜାତିର ବଂଶ ବୃଦ୍ଧି ପାଇଁ ନନ୍ଦନକାନରେ ପ୍ରକ୍ରିୟା ଚାଲୁ ରହିଥିବାରୁ ସେଠାକୁ ପଠାଯାଇଥିବା ନେଇ ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe