ରାଜ୍ୟରେ ବଢ଼ିଲେ ୧.୫୪ ଲକ୍ଷ ମୋବାଇଲ ଗ୍ରାହକ

Advertisment
ଚକ୍ଷୁ ଯନ୍ତ୍ରଣାରେ ଛଟପଟ ୬ ବର୍ଷୀୟ ଶିଶୁକନ୍ୟା; ବହୁ ସମୟ ମୋବାଇଲ ଦେଖିବା ହୋଇପାରେ କାରଣ

ଭୁବନେଶ୍ବର: ମେ ମାସରେ ଓଡ଼ିଶାରେ ମୋବାଇଲ ଫୋନ ନେଟୱର୍କରେ ୧ ଲକ୍ଷ ୫୪ ହଜାର ୧୪୧ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ରାଜ୍ୟରେ ମୋଟ ‌ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୭୪ ହଜାର ୬୧୬ରେ ପହଞ୍ଚିଛି। ଏପ୍ରିଲ ମାସରେ ଏମାନଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫ ରହିଥିଲା। ଭାରତୀୟ ଦୂରସଂଚାର ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି।

ମେ ମାସରେ ଓଡ଼ିଶାରେ ମୋବାଇଲ ଫୋନ ନେଟୱର୍କରେ ରିଲାଏନ୍ସ ଜିଓର ୧ ଲକ୍ଷ ୮୫ ହଜାର ୧୫୯ ଜଣ ଗ୍ରାହକ ଯୋଡ଼ି ହୋଇଛନ୍ତି। ଅନ୍ୟପକ୍ଷରେ ଏୟାରଟେଲ, ଭୋଡ଼ାଫୋନ ଏବଂ ବିଏସ୍‌ଏନ୍‌ଏଲ୍‌ର ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି। ଏୟାରଟେଲର ୧୨୧୦୮, ଭୋଡ଼ାଫୋନ ଆଇଡିଆର ୧୩୦୪୧ ଏବଂ ବିଏସ୍‌ଏନ୍‌ଏଲ୍‌ର ୫୮୬୯ ଜଣ ଗ୍ରାହକ ମେ ମାସରେ ରାଜ୍ୟରେ କମିଛନ୍ତି। ମେ ମାସରେ ଦେଶରେ ୨.୪୭ ନିୟୁତ ଟେଲିଫୋନ ଗ୍ରାହକ ବୃଦ୍ଧି ପାଇଛନ୍ତି। ଫଳରେ ମୋଟ ଗ୍ରାହକଙ୍କ ସଂଖ୍ୟା ୧୨୦.୩୭ କୋଟିରେ ପହଞ୍ଚିଛି। ଏଥିଯୋଗୁ ଦେଶରେ ଟେଲିସାନ୍ଦ୍ରତା ୮୫.୮୭ ପ୍ରତିଶତକୁ ବୃଦ୍ଧି ଘଟିଛି।

ଜାତୀୟ ସ୍ତରରେ ପ୍ରତି ୧୦୦ ଜଣରେ ୮୫.୮୭ ଜଣ ଫୋନ ବ୍ୟବହାର କରୁଛନ୍ତି। କିନ୍ତୁ ଓଡ଼ିଶାରେ ଟେଲିଫୋନ ସାନ୍ଦ୍ରତା ଜାତୀୟ ହାର ଠାରୁ କମ୍‌ ଅର୍ଥାତ୍‌ ୭୭.୩୭ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଟେଲିଫୋନ ସାନ୍ଦ୍ରତା ସର୍ବାଧିକ ୨୮୦.୮୩ ଥିବାବେଳେ ବିହାରରେ ସର୍ବନିମ୍ନ ଅର୍ଥାତ ୫୭.୪୫ ପ୍ରତିଶତ ରହିଛି। ଉଲ୍ଲେଖଯୋଗ୍ୟ, ଘରୋଇ କମ୍ପାନି ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଜୁଲାଇରେ ମୋବାଇଲ ଶୁଳ୍କ ବୃଦ୍ଧି କରିଛନ୍ତି। ତେଣୁ ଶୁଳ୍କ ବୃଦ୍ଧିର ପ୍ରତିଫଳନ ମେ ମାସ ତଥ୍ୟରେ ଦେଖାଯାଇନାହିଁ। ଜୁଲାଇ ତଥ୍ୟ ଆସିଲେ ଏହାର ପ୍ରଭାବ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe